ଆଜି ବିକ୍ଷୋଭ କରିବ ବିଜେଡି, ଜାଣନ୍ତୁ କାରଣ
ଭୁବନେଶ୍ୱର: ଓଡ଼ିଶାର ଚାଷୀଙ୍କୁ ଫସଲ ବୀମା ପ୍ରଦାନରେ କେନ୍ଦ୍ର କରୁଛି ଅବହେଳା । ବୀମା କମ୍ପାନି ଚାଷୀଙ୍କୁ ଶୋଷଣ କରୁଥିବା ବେଳେ କେନ୍ଦ୍ର ସରକାର ସାଜିଛନ୍ତି ନିରବଦ୍ରଷ୍ଟା । ଏହାର ପ୍ରତିବାଦରେ ବିଜେଡ ସୋମବାର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଆଗରେ ଓ ରାଜଧାନୀ ଭୁବନେଶ୍ୱରରେ କରିବ ବିକ୍ଷୋଭ । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମହିଳା ବିଜେଡିର ସଭାପତି ସ୍ନେହାଙ୍ଗିନୀ ଛୁରିଆ ଏବଂ ବରିଷ୍ଠ ନେତ୍ରୀ ଶ୍ରୀମୟୀ ମିଶ୍ର ଏହି ସୂଚନା ଦେଇଛନ୍ତି ।
ଏହି ଅବସରରେ ବିଜେଡି ପକ୍ଷରୁ ସମ୍ମିଳନୀରେ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ରାଜ୍ୟର ଲକ୍ଷ ଲକ୍ଷ ଚାଷୀଙ୍କୁ ବୀମା ରାଶି ପାଇବାରୁ ବଞ୍ଚିତ କରାଯାଉଛି । ବୀମା କମ୍ପାନିମାନେ ଏଥିପାଇଁ ସମୟ ଗଡ଼ାଇ ଚାଲିଛନ୍ତି । ଫଳରେ ଓଡ଼ିଶାର ଗରିବ କ୍ଷତିଗ୍ରସ୍ତ ଚାଷୀମାନେ ୫୦୦ କୋଟି ଟଙ୍କାର ବକେୟା ବୀମା ରାଶି ନ ପାଇ ଘୋର ଦୁର୍ଦ୍ଦଶା ମଧ୍ୟରେ କାଳ କାଟୁଛନ୍ତି ।
ଏ ନେଇ ମୁଖ୍ୟମନ୍ତ୍ରୀ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ମଧ୍ୟ କେନ୍ଦ୍ର ସରକାର ନିରବଦ୍ରଷ୍ଟା ସାଜିଛନ୍ତି । ଏହାର ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ତଥା ଭୁବନେଶ୍ୱରରେ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ । ପରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି ।
Powered by Froala Editor