ହାଲୋୱିନ୍ ପର୍ବ ପାଳନ ବେଳେ ଦଳାଚକଟା : ଅଣନିଶ୍ୱାସୀ ହୋଇ ୧୫୩ ଜଣଙ୍କ ମୃତ୍ୟୁ
ଦକ୍ଷିଣ କୋରିଆ ରାଜଧାନୀ ସିଓଲରେ ଶନିବାର ହାଲୋୱିନ୍ ପର୍ବ ପାଳନ ବେଳେ ଦଳାଚକଟା ଯୋଗୁ ମୃତ୍ୟୁସଂଖ୍ୟା ୧୫୩କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ଯୁବବର୍ଗ ରହିଛନ୍ତି, ଯାହାଙ୍କ ବୟସ ୨୦ରୁ ୩୦ ହେବ। ସେହିପରି ସେମାନଙ୍କ ଭିତରେ ୧୯ ମୃତକ ହେଉଛନ୍ତି ବିଦେଶୀ ନାଗରିକ। ଏଥିସହ ୧୦୦ ଜଣ ଗୁରୁତର ହୋଇଛନ୍ତି।
କୋଭିଡ୍-୧୯ କଟକଣା ହଟିବା ପରେ ଦେଶରେ ପ୍ରଥମ ଥର ପାଇଁ ଏହି ଆଉଟ୍ ଡୋର୍ ଉତ୍ସବ ଆୟୋଜନ ହୋଇଥିଲା। ଏହି ପର୍ବରେ ଲକ୍ଷେରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା। ଏକ ଗଳି ରାସ୍ତାରେ ଆଉଟ୍ଡୋର୍ରେ ଏହି ପର୍ବ ପାଳନ ଚାଲିଥିବା ବେଳେ ହଠାତ୍ କୌଣସି କାରଣରୁ ଭିଡ ଜମିଥିଲା। ପରେ ଦଳାଚକଟା ଆରମ୍ଭ ହୋଇଥିଲା।
ଭିଡ଼ ବଢ଼ିବା କାରଣରୁ ଲୋକେ ସେଠାରେ ନିଶ୍ୱାସପ୍ରଶ୍ୱାସ ନେବା କଷ୍ଟକର ହୋଇପଡ଼ିଥିଲା। ଫଳରେ ସେଠାରୁ ସେମାନେ ବାହାରିବାକୁ ଉଦ୍ୟମ କରିବା ଆରମ୍ଭ କରିଦେଇଥିଲେ। ସ୍ଥିତି ଏପରି ହୋଇଥିଲା ଯେ, ଲୋକେ ପରସ୍ପର ଉପରେ ଚଢ଼ିଯାଇଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଲୋକେ ହୃଦ୍ଘାତର ଶିକାର ଲୋକଙ୍କୁ ପମ୍ପିଂ କରିଥିଲେ। ସେପଟେ ପୁଲିସ ଓ ଫାୟାର ଟିମ୍ ପହଞ୍ଚି ହୃଦଘାତର ଶିକାର ଲୋକଙ୍କୁ ହସ୍ପିଟାଲ ନେଇଥିଲେ। ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଘଟଣାରେ ବିଶ୍ୱନେତାମାନେ ଦୁଃଖ ପ୍ରକାଶ କରିଛନ୍ତି। ଏଭଳି ସମୟରେ ନୂଆଦିଲ୍ଲୀ ଦକ୍ଷିଣ କୋରିଆ ସହ ଛିଡ଼ା ହୋଇଛି ବୋଲି ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି।
Powered by Froala Editor