ମୋଦିଙ୍କୁ ଚିଠି ଲେଖିଲେ କେଜ୍ରିୱାଲ, ଚିଠିରେ କ’ଣ ଅଛି ଜାଣନ୍ତୁ
![ମୋଦିଙ୍କୁ ଚିଠି ଲେଖିଲେ କେଜ୍ରିୱାଲ, ଚିଠିରେ କ’ଣ ଅଛି ଜାଣନ୍ତୁ](https://odishanewslens.com/news_gallery/17201_1666944955.jpg)
ନୂଆଦିଲ୍ଲୀ: ଭାରତରେ ଛପା ଯାଉଥିବା ଟଙ୍କାରେ ମା’ ଲକ୍ଷ୍ମୀ ଓ ଗଣେଶଙ୍କ ଫଟୋକୁ ସ୍ଥାନ ଦେବା ପାଇଁ ପୂର୍ବରୁ ଦାବି କରିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ଏହାଦ୍ୱାରା ଦେଶର ଅର୍ଥନୀତିକୁ ସଜାଡ଼ିବାକୁ ଜୋଶ ମିଳିବ ବୋଲି ମଧ୍ୟ କେଜ୍ରିୱାଲ ଯୁକ୍ତି ଉପସ୍ଥାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସେ ଲେଖିଥିବା ଚିଠିରେ କହିଛନ୍ତି ଯେ “ଭାରତରେ ରହୁଥିବା ୧୩୦ କୋଟି ଲୋକଙ୍କ ଇଚ୍ଛା ଯେ ଭାରତୀୟ ଟଙ୍କାର ଗୋଟିଏ ପାର୍ଶ୍ୱରେ ମହାତ୍ମା ଗାନ୍ଧି ଓ ଅନ୍ୟ ପାର୍ଶ୍ୱରେ ଗଣେଶ ଓ ଲକ୍ଷ୍ମୀଙ୍କ ଫଟୋ ରହୁ।
ଦେଶର ଅର୍ଥନୀତି ବର୍ତ୍ତମାନ ଅତ୍ୟନ୍ତ ସାଂଘାତିକ ସ୍ଥିତିରେ ରହିଛି। ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଭାରତକୁ ଗରିବ ଦେଶମାନଙ୍କ ମଧ୍ୟରେ ଗଣାଯାଉଛି। ଏବେ ବି ଅନେକ ଲୋକ ଗିରବ ରେଖା ତଳେ ରହିଛି। ଏମିତି କାହିଁକି?”
ସେ ଚିଠିରେ ଆହୁରି କହିଛନ୍ତି ଯେ ଦେଶର ଅର୍ଥନୀତିକୁ ସଜାଡ଼ିବାକୁ ହେଲେ ଆମକୁ କଠିନ ପରିଶ୍ରମ କରିବାକୁ ପଡ଼ିବ। କଠିନ ପରିଶ୍ରମ ସହ ଆମ କାମର ସଫଳତା ପାଇଁ ଈଶ୍ୱରଙ୍କ ଆଶୀର୍ବାଦ ମଧ୍ୟ ଦରକାର। ଉତ୍ତମ ନୀତି, କଠିନ ପରିଶ୍ରମ ଓ ଭଗବାନଙ୍କ ଆଶୀର୍ବାଦ ଆମ ଦେଶକୁ ବିକାଶର ରାସ୍ତାରେ ଚାଲିବାରେ ସହାୟତା କରିବ ବୋଲି କେଜ୍ରିୱାଲ ତାଙ୍କ ଚିଠିରେ କହିଛନ୍ତି।
ବୁଧବାର କେଜ୍ରିୱାଲ କହିଥିଲେ ଯେ ଦେଶର ଅର୍ଥନୀତିକୁ ପୂର୍ବ ଧାରାକୁ ଫେରାଇ ଆଣିବା ଲାଗି ନୂଆ ଟଙ୍କାରେ ପ୍ରଭୁ ଗଣେଶ ଓ ଦେବୀ ଲକ୍ଷ୍ମୀଙ୍କ ଫଟୋ ଛାପିବା ଉଚିତ। ଭାରତୀୟ କାଗଜ ଟଙ୍କାର ଗୋଟିଏ ପାର୍ଶ୍ୱରେ ଗାନ୍ଧୀଜୀଙ୍କ ଛବି ଅଛି। ଗାନ୍ଧୀଜୀଙ୍କ ଛବି ଅପରିବର୍ତ୍ତିତ ରହିବା ଉଚିତ।
Powered by Froala Editor