ଭୟଙ୍କର ରୂପ ନେଉଛି ବାତ୍ୟା ‘ତୌକତେ’, ଗୁଜୁରାଟରେ ଉପକୂଳରେ ମାଡ଼ ହେବ
ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ତୌକତେ’ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେବାରେ ଲାଗିଛି । ଝଡ଼ରେ ପରିଣତ ହୋଇ ସାରିଥିବା ଟକଟେ ଆସନ୍ତା କିଛି ଘଣ୍ଟା ମଧ୍ୟରେ ଭୟଙ୍କର ରୂପ ନେବ । ମେ ୧୮ ତାରିଖ ଅପରାହ୍ନରେ ଏହା ଗୁଜରାଟ ଉପକୂଳରେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଉଛି ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନଡିଏମଏ) ବାତ୍ୟା ମୁକାବିଲା ପାଇଁ ଯୁଦ୍ଧସ୍ତରରେ ପଦକ୍ଷେପ ଗ୍ରହଣ କରିଛନ୍ତି । ବାତ୍ୟା ପ୍ରଭାବରେ ଆଜି କେରଳର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହୋଇଛି । ଅନେକ ଘର ଭାଙ୍ଗିରୁଜି ଯିବା ସହିତ ଗଛ ଉପୁଡ଼ିଯାଇଛି । ଗୁଜରାଟ ସମେତ ଗୋଆ, ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ ଏବଂ ତାମିଲନାଡ଼ୁରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ବାତ୍ୟା ସତର୍କତା ଜାରି କରାଯାଇଛି । ଶନିବାର ଅପରାହ୍ନ ଦୁଇଟା ୩୦ ସୁଦ୍ଧା ଏହି ବାତ୍ୟା ଉତ୍ତରପୂର୍ବ ଦିଗରେ ଗତି କରିବା ସହିତ ପୂର୍ବ-କେନ୍ଦ୍ରୀୟ ଆରବ ସାଗରରେ ରହିଥିଲା । ଗୋଆର ପାଞ୍ଜିମଠାରୁ ଦକ୍ଷିଣ ପଶ୍ଚିମରେ ୨୯୦ କିମି, ମୁମ୍ବାଇର ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ୬୫୦ କିମି ଏବଂ ଗୁଜରାଟର ଭେରାଭାଲଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ୮୮୦ କିମି ଦୂରରେ ବାତ୍ୟା ରହିଛି । ଆସନ୍ତା ୧୮ ତାରିଖ ଅପରାହ୍ନ କିମ୍ବା ସଂଧ୍ୟା ସୁଦ୍ଧା ଏହି ବାତ୍ୟା ଗୁଜରାଟର ପୋରବନ୍ଦର ଏବଂ ନାଲିୟା ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ । ସାମୁଦ୍ରିକ ଝଡ଼ର ମୁକାବିଲା ପାଇଁ କେରଳ, କର୍ଣ୍ଣାଟକ, ତାମିଲନାଡ଼ୁ, ଗୁଜରାଟ ଏବଂ ମହାରାଷ୍ଟ୍ରରେ ଏନଡିଆରଏଫର ୫୦ରୁ ଅଧିକ ଟିମ ମୁତୟନ କରାଯାଇଛି ।
Powered by Froala Editor