ଦେଶରେ କରୋନା ନେଲା ୪୦୭୭ ଜୀବନ

ନୂଆଦିଲ୍ଲୀ : ଦେଶରେ କରୋନା ଆଉ ୪୦୭୭ ଜଣଙ୍କର ଜୀବନ ନେଇଛି । ଫଳରେ ଦେଶରେ ମୋଟ କରୋନା ଜନିତ ମୃତୁ୍ୟ ସଂଖ୍ୟା ୨ ଲକ୍ଷ ୭୦ ହଜାର ୨୪୮ ହୋଇଛି । ଅପରପକ୍ଷରେ ଗତ ୨୪ ଘଂଟା ମଧ୍ୟରେ ୩ ଲକ୍ଷ ୧୧ ହଜାର ୧୭୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଧିରେଧିରେ କରୋନା ସଂକ୍ରମଣ ଖସୁଥିବାବେଳେ ଦେଶରେ ଏଯାବତ ୨ କୋଟି ୪୬ ଲକ୍ଷ ୮୪ ହଜାର ୭୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୨ କୋଟି ୭ ଲକ୍ଷ ୯୫ ହଜାର ୩୩୫ ଜଣ ସୁସ୍ଥ ହୋଇସାରିଥିବାବେଳେ ୩୬ ଲକ୍ଷ ୧୮ ହଜାର ୪୫୮ ଜଣ ଚିକିତ୍ସିତ ହେଉଛନ୍ତି । ଟିକାକରଣ ପ୍ରକ୍ରିୟା ଜୋର ଧରିଥିବାବେଳେ ଏଯାବତ ୧୮ କୋଟି ୨୨ ଲକ୍ଷ ୨୦ ହଜାର ୧୬୪ ଡୋଜ ଟିକା ଦିଆଯାଇଛି ।
ଅପରପକ୍ଷରେ ଓଡ଼ିଶାରେ ରାଜ୍ୟରେ କରୋନା ଆଉ ୧୯ ଜଣଙ୍କ ଜୀବନ ନେଇଛି । ଫଳରେ କରୋନା ଜନିତ ମୃତୁ୍ୟ ସଂଖ୍ୟା ୨୩୧୩ରେ ପହଁଚିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୩, ଗଜପତିରେ ୧, କେନ୍ଦ୍ରାପଡ଼ାରେ ୧, ଖୋର୍ଦ୍ଧାରେ ୪, ନବରଙ୍ଗପୁରରେ ୧, ନୟାଗଡରେ ୧, ନୂଆପଡାରେ ୨, ପୁରୀରେ ୧, ରାୟଗଡାରେ ୩ ଓ ସୁନ୍ଦରଗଡ଼ରେ ୨ ଜଣଙ୍କର ମୃତୁ୍ୟହୋଇଛି ।
Powered by Froala Editor