ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନିଆଳି: କଟକ ଜିଲ୍ଲା ଓଲଟପୁର ଥାନା ଅଡ଼ଶପୁରରେ ଥିବା ଦେବକି ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ହଷ୍ଟେଲ କର୍ତ୍ତୃପକ୍ଷ ଏହା ଏକ ଆତ୍ମହତ୍ୟାଜନିତ ମାମଲା ବୋଲି କହୁଥିବା ବେଳେ ପରିବାର ଲୋକେ କିନ୍ତୁ ଆଣିଛନ୍ତି ହତ୍ୟା ଅଭିଯୋଗ ।
ମୃତ ଛାତ୍ରୀଙ୍କ ଘର ଯାଜପୁର ଜିଲ୍ଲା କୁଆଖିଆ ଥାନା ଅଞ୍ଚଳରେ ହୋଇଥିବା ବେଳେ ସେ ଅଡ଼ଶପୁରଠାରେ ଏକ ଘରୋଇ ହଷ୍ଟେଲରେ ରହି ଯୁକ୍ତ ୩ ତୃତୀୟ ବର୍ଷ ପାଠ ପଢ଼ୁଥିଲେ। ସେ ୨୦୨୦ ମସିହାରୁ ଏହି ହଷ୍ଟେଲରେ ରହୁଥିଲେ।
ଗତକାଲି ଦୀପାବଳି ପାଇଁ ହଷ୍ଟେଲର ସବୁ ଛାତ୍ରୀ ବେଶ୍ ଖୁସି ଥିବା ବେଳେ ସନ୍ଧ୍ୟାରେ ସମସ୍ତେ ବାଣ ଫୁଟାଇବାକୁ ଛାତକୁ ଯାଇଥିଲେ। ମାତ୍ର ସମ୍ପୃକ୍ତ ଛାତ୍ରୀଜଣକ ଦେହ ଭଲ ଲାଗୁ ନ ଥିବା କହି ରୁମ୍ରେ ରହିଥିଲେ। ପିଲାମାନେ ବାଣ ଫୁଟାଇ ଆସି ସମ୍ପୃକ୍ତ ଛାତ୍ରୀଙ୍କୁ ଖୋଜିବାରୁ ଏକ ରୁମ୍ର ଭିତର ପଟୁ ବନ୍ଦ ଥିବା ଦେଖିବାକୁ ପାଇଲେ। ଏହାପରେ ଝରକା ଫାଙ୍କରେ ଭିତରକୁ ଅନାଇ ଛାତ୍ରୀଜଣକ ଝୁଲୁଥିବା ଦେଖିବାକୁ ପାଇଲେ।
ଏନେଇ ପୁଲିସ୍କୁ ଖବର ଦିଆଯିବାରୁ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଖବର ପାଇ ଛାତ୍ରୀଙ୍କ ପରିବାର ଲୋକେ ଅଡଶପୁରରେ ପହଞ୍ଚିଥିବା ବେଳେ ଝିଅ ମୃତ୍ୟୁକୁ ସହଜେ ଗ୍ରହଣ କରି ପାରୁ ନାହାନ୍ତି। ଝିଅର ମୃତ୍ୟୁ ପଛରେ ହଷ୍ଟେଲ କର୍ତ୍ତୃପକ୍ଷଙ୍କ ହାତ ଥିବା ସେ କହିଛନ୍ତି।
Powered by Froala Editor