ସୂର୍ୟ୍ୟୋପରାଗ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ, ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଭକ୍ତ
ପୁରୀ: ସୂର୍ୟ୍ୟୋପରାଗ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ଜାରି ହୋଇଛି । ଶ୍ରୀମନ୍ଦିରର ଏହି ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ମୁତାବକ ୨୪ ତାରିଖ(ସୋମବାର) ରାତି ଶେଷ ପ୍ରହର ଅର୍ଥାତ୍ ୨୫ ତାରିଖ ଭୋର ୪ଟା ୫୭ ମିନିଟରୁ ପାକ ତ୍ୟାଗ, ଦେବନୀତି ନିଷେଧ ହୋଉଛି । ପରାଗ ସ୍ୱର୍ଶ ବିଧି ଆଜି ଅପରାହ୍ନ ୪ଟ ୫୬ ମିନିଟ ୫୨ ସେକଣ୍ଡରେ ହେବ । ସନ୍ଧ୍ୟା ୬ଟା ୨୬ ମିନିଟ୍ ୫୨ ସେକଣ୍ଡରେ ପରାଗ ସର୍ବମୋକ୍ଷ ହେବ । ତାପରେ ପରାଗ ମହାସ୍ନାନ ହୋଇ ପରାଗ ନୀତି ସମ୍ପାଦନ ହେବ ।
ସୂର୍ୟ୍ୟୋପରାଗ ନିମନ୍ତେ ଶ୍ରୀମନ୍ଦିର ନୀତି ନିର୍ଘଣ୍ଟ ଅନୁଯାୟୀ ସୋମବାର ରାତି ୧୨ଟା ୧୦ ମିନିଟରେ ଦ୍ୱାର ଫିଟା ପରେ ଭିତର ଶୋଧ, ମଙ୍ଗଳ ଆଳତି, ମଇଲମ, ତଡ଼ପ ଲାଗି, ଅବକାଶ, ରୋଷହୋମ କରାଯାଇଥିଲା । ସୂର୍ୟ୍ୟପୂଜା, ଦ୍ୱାରପାଳ ପୂଜା ବଢ଼ି ପ୍ରଭୁଙ୍କ ରାଧାଦାମୋଦର ବେଶ ୨ଟା ସୁଦ୍ଧା ସରିଥିଲା । ଏହା ପରେ ଗୋପାଳବଲ୍ଲଭ, ସକାଳ ଧୂପ, (କେବଳ କୋଠଭୋଗ), ବାଳଭୋଗ ସହ ଭୋଗ ମଣ୍ଡପ ଲାଗି କରାଯାଇଥିଲା।
ମଙ୍ଗଳବାର ଅପରାହ୍ନ ୪ ଘଣ୍ଟା ୫୬ ମିନିଟ୍ ୫୨ ସେକେଣ୍ଡରେ ପରାଗ ସ୍ପର୍ଶ କରିବ । ସନ୍ଧ୍ୟା ୬ ଘଣ୍ଟା ୨୬ ମିନିଟ୍ ୫୨ ସେକେଣ୍ଡରେ ଗ୍ରହଣ ସର୍ବମୋକ୍ଷ ହେବ । ପରାଗ ପାଇଁ ସୋମବାର ରାତି (ମଙ୍ଗଳବାର ଭୋର) ୪ ଘଣ୍ଟା ୫୭ ମିନିଟ୍ରୁ ପାକତ୍ୟାଗ ଏବଂ ଦେବ ନୀତି ନିଷେଧ ହେବ । ସୂର୍ୟ୍ୟୋପରାଗ ପାଇଁ ମନ୍ଦିରରେ ଦର୍ଶନ ବନ୍ଦ ରହିବ ନାହିଁ । ଭକ୍ତମାନେ ମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ । ରାଜ୍ୟରେ କେବଳ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ପ୍ରଚଳିତ ପରମ୍ପରା ମୁତାବକ, ପରାଗ ଏବଂ ଗ୍ରହଣ ସମୟରେ ଶ୍ରୀମନ୍ଦିର ଦର୍ଶନ ଭକ୍ତଙ୍କ ପାଇଁ ଖୋଲା ରହିଥାଏ । ଏ ହେଉଛି ବଡ଼ ଦେଉଳର ନିଆରା ପରମ୍ପରା।
Powered by Froala Editor