ବରିଷ୍ଠ ନାଗରିକଙ୍କ ପାଇଁ ବିଏମ୍ସିର ସ୍ୱତନ୍ତ୍ର ବ୍ୟବସ୍ଥା: ଫୋନ୍ କଲେ ଘରୁ ସଂଗ୍ରହ ହେବ ନମୁନା

କରୋନା ସଂକ୍ରମଣ ବଢି ଚାଲିଥିବାବେଳେ ଟେଷ୍ଟିଂକୁ ଗୁରୁତ୍ୱ ଦିଆଯାଉଛି । ଏବେ ବରିଷ୍ଠ ଲୋକଙ୍କ ପାଇଁ ବିଏମ୍ସି ସ୍ୱତନ୍ତ୍ର ବ୍ୟବସ୍ଥା କରିଛି । ଟେଷ୍ଟିଂ ସେଣ୍ଟରକୁ ଯିବାରେ ଅସୁବିଧା ଥିଲେ ବରିଷ୍ଠ ନାଗରିକ ୧୯୨୯କୁ କଲ କରିପାରିବେ । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟିମ୍ ଯାଇ ଘରଠୁ ନମୁନା ସଂଗ୍ରହ କରିବେ । ବିଏମ୍ସି କମିସନର ସଂଜୟ ସିଂହ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ।
ଆସନ୍ତା ସୋମବାର ଠାରୁ ଏହି ବ୍ୟବସ୍ଥା ଆରମ୍ଭ ହେବ । ସେହିପରି ସୋମବାର ଠାରୁ ବିଏମ୍ସି ଅଂଚଳରେ ଅଧିକ ଟେଷ୍ଟିଂ ସେଣ୍ଟର ଖୋଲାଯିବ । ଟିକାକରଣ କେନ୍ଦ୍ର ବଢ଼ାଇବାକୁ ଯୋଜନା ଚାଲିଛି । ଟିକାକରଣରେ ମଧ୍ୟ ବରିଷ୍ଠ ନାଗରିକଙ୍କ ପାଇଁ ବ୍ୟବସ୍ଥା କରାଯିବ ।
ରାଜ୍ୟରେ ଲକ୍ଡାଉନ୍ ଜାରି ରହିଛି। ଫଳରେ ବରିଷ୍ଠ ନାଗରିକଙ୍କ ପାଇଁ ହସ୍ପିଟାଲ କିମ୍ବା ଟେଷ୍ଟିଂ କେନ୍ଦ୍ରକୁ ଆସି କରୋନା ଟେଷ୍ଟ କରିବାରେ ଅସୁବିଧା ହେଉଛି। ତେଣୁ ଏବେ ଘରକୁ ଯାଇ ସାମ୍ପଲ ସଂଗ୍ରହ କରାଯିବ ବୋଲି ସଞ୍ଜୟ ସିଂହ କହିଛନ୍ତି। ଲକ୍ଷଣ ଦେଖା ଦେଲେ ବରିଷ୍ଠ ନାଗରିକ ୧୯୨୯କୁ ଫୋନ୍ କରି ତଥ୍ୟ ଦେବେ। ନାଁ ଏବଂ ନିଜର ଠିକଣା ଦେଲେ ଭ୍ୟାନ ଯାଇ ଘରୁ ସାମ୍ପୁଲ ସଂଗ୍ରହ କରାଯିବ । ଏହାପତର ଡାକ୍ତରଙ୍କ ଠାରୁ ପରାମର୍ଶ ନେଇପାରିବେ ।
ସେହିପରି ଟିକା ପାଇଁ ସମସ୍ୟାରେ ପଡୁଥିବା ବରିଷ୍ଠ ନାଗରିକଙ୍କ ପାଇଁ ବିଏମସି ବ୍ୟବସ୍ଥା କରିଛି। ବିଶେଷ କରି ଘରେ ଏକୁଟିଆ ଥିବା ବରିଷ୍ଠ ନାଗରିକଙ୍କୁ ଏହି ବ୍ୟବସ୍ଥା ପ୍ରଦାନ କରାଯିବ। ୧୯୨୯କୁ ଫୋନ୍ କଲେ ଉକ୍ତ ବ୍ୟକ୍ତିଙ୍କୁ ଘରୁ ଟିକା କେନ୍ଦ୍ର ଅଣାଯିବ। ଟିକା ନେବା ପରେ ପୁଣି ବ୍ୟକ୍ତିଙ୍କୁ ଘରେ ଛାଡି ଦିଆଯିବ ବୋଲି ବିଏମସି କମିଶନର ସଞ୍ଜୟ ସିଂହ ସୂଚନା ଦେଇଛନ୍ତି।
ବିଏମ୍ସି କମିସନର କହିଛନ୍ତି ଯେ, କରୋନା ଲଢ଼େଇରେ ପ୍ରଶାସନକୁ ଜନସାଧାରଣ ସହଯୋଗ କରିଥିବାରୁ ଧନ୍ୟବାଦ ଜଣାଉଛି । ଲକଡାଉନ ଓ ସଟଡାଉନକୁ କଡ଼ାକଡ଼ି ଭାବେ ପାଳନ କରନ୍ତୁ ବୋଲି ସେ କହିଛନ୍ତି ।
Powered by Froala Editor