ଆଜି କଂଗ୍ରେସ ସଭାପତି ନିର୍ବାଚନ ପାଇଁ ଭୋଟ, ୧୯ରେ ଘୋଷଣା ହେବ ନୂଆ ସଭାପତିଙ୍କ ନାଁ
ନୂଆଦିଲ୍ଲୀ: ଆଜି କଂଗ୍ରେସ ସଭାପତି ନିର୍ବାଚନ ପାଇଁ ପଡିବ ଭୋଟ। ସକାଳ ୧୦ଟାରୁ ଅପରାହ୍ଣ ୪ଟା ଯାଏଁ ହେବ ମତଦାନ। ଆଜି ଭୋଟିଂ ପରେ ୧୯ ତାରିଖରେ ନୂଆ ସଭାପତିଙ୍କ ନାଁ ଘୋଷଣା ହେବ। ୨୫ ବର୍ଷ ପରେ ଜଣେ ଅଣଗାନ୍ଧି ନେତା କଂଗ୍ରେସର ମୁଖିଆ ହେବେ। ମୈଦାନରେ ଦୁଇ ହାଇପ୍ରୋଫାଇଲ ନେତା ମଲ୍ଲିକାର୍ଜ୍ଜୁନ ଖଡ଼ଗେ ଏବଂ ଶଶି ଥରୁର ଅଛନ୍ତି। ୯ ହଜାର ପିସିସି ପ୍ରତିନିଧିଙ୍କ ଦ୍ୱାରା ଗଠିତ ଇଲେକ୍ଟୋରାଲ୍ କଲେଜ୍ ସିକ୍ରେଟ୍ ବାଲଟ ନିର୍ବାଚନ ଜରିଆରେ ସଭାପତିଙ୍କୁ ବାଛିବେ। ଏଥିପାଇଁ ଦିଲ୍ଲୀ ହେଡକ୍ୱାର୍ଟର ସମେତ ଦେଶର ବିଭିନ୍ନ ରାଜ୍ୟରେ ମୋଟ ୩୬ଟି ମତଦାନ କେନ୍ଦ୍ର ଓ ୬୭ଟି ପୁଲିଂ ବୁଥ୍ ବ୍ୟବସ୍ଥା କରାଯଇଛି।ରାଜ୍ୟ କଂଗ୍ରେସ ମୁଖ୍ୟ, ଦଳର ସାଧାରଣ ସମ୍ପାଦକ, ସମ୍ପାଦକ ଓ ଯୁଗ୍ମ ସମ୍ପାଦକ ଭୋଟ ଗ୍ରହଣରେ ସାମିଲ ହେବେ ସେମାନେ ନିଜ ରାଜ୍ୟ କିମ୍ବା ଦିଲ୍ଲୀ ହେଡକ୍ୱାର୍ଟରରେ ଭୋଟ୍ ଦେଇପାରିବେ।
ପ୍ରଥମ ଥର ପାଇଁ ସିଇଏ ଦ୍ୱାରା ପ୍ରତିନିଧିମାନଙ୍କୁ ଏକ କ୍ୟୁଆର୍-କୋଡ୍ ଯୁକ୍ତ ଆଇଡି କାର୍ଡ ଦିଆଯାଇଛି। ଯେଉଁମାନଙ୍କ ପାଖରେ ଏହି କାର୍ଡ ଅଛି ସେମାନଙ୍କୁ ଭୋଟ ଦେବାର ସୁଯୋଗ ଦିଆଯିବ। ଦଳ ପ୍ରାୟ ୬ କୋଟି ନୂଆ ସଦସ୍ୟଙ୍କ ପଞ୍ଜୀକରଣ କରିଛି। କଂଗ୍ରେସ ଡାଟା ବିଭାଗର ମୁଖ୍ୟ ପ୍ରବୀଣ ଚକ୍ରବର୍ତ୍ତୀ କହିଛନ୍ତି ୧୪୦ ବର୍ଷରେ ପ୍ରଥମ ଥର ପାଇଁ ଏପରି କ୍ୟୁଆର୍-କୋଡ୍ ଯୁକ୍ତ ଆଇଡି ବ୍ୟବସ୍ଥା କରାଯାଇଛି। ନିର୍ବାଚନରେ ସ୍ୱଚ୍ଛତା ରକ୍ଷାରେ ଏହା ସାହାଯ୍ୟ କରିବ।
Powered by Froala Editor