କରୋନା ସଂକ୍ରମିତ ମାଓବାଦୀ ସରେଣ୍ଡର କରନ୍ତୁ: ଡିଜିପି
ଭୁବନେଶ୍ୱର: ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ସବୁ ବର୍ଗର ଲୋକଙ୍କୁ କରୋନା ଗ୍ରାସ କରିସାରିଲାଣି । ଏପରିକି ମାଓ ଶିବିରରେ ମଧ୍ୟ କରୋନା ତା’ର କାୟା ମେଲାଇ ଚାଲିଛି । କରୋନାରେ ଆକ୍ରାନ୍ତ ହୋଇ କିଛି ମାଓବାଦୀଙ୍କ ମୃତୁ୍ୟ ମଧ୍ୟ ହୋଇଥିବା କୁହାଯାଉଛି । ତେବେ ଏହାରି ଭିତରେ ଯଦି କେହି ମାଓବାଦୀ କରୋନା ସଂକ୍ରମିତ ତେବେ ସେମାନଙ୍କୁ ଆତ୍ମସମର୍ପଣ କରିବାକୁ ଡିଜିପି ଅଭୟ ଆହ୍ୱାନ ଦେଇଛନ୍ତି । ମାଲକାନଗିରି ଜିଲ୍ଲା ସୀମା ମୋଟୁରେ ମାଓ ମୁକାବିଲା ନେଇ ବରିଷ୍ଠ ଅଧିକାରୀଙ୍କ ସହ ବିଏସଏଫ କ୍ୟାମ୍ପରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଡିଜିପି ଏଭଳି ଆହ୍ୱାନ ଦେଇଛନ୍ତି ।
ଏହି ବୈଠକରେ ଡିଜିପି ମାଓବାଦୀଙ୍କୁ ସମାଜର ମୁଖ୍ୟସ୍ରୋତକୁ ଫେରିବା ପାଇଁ ଆହ୍ୱାନ ଦେଇଛନ୍ତି । ଏଥିସହ ଯଦି କେହି ମାଓବାଦୀ କରୋନା ସଂକ୍ରମିତ ତେବେ ସେମାନେ ଆତ୍ମସମର୍ପଣ କରନ୍ତୁ । ସେମାନଙ୍କ ଚିକିତ୍ସା ସମେତ ସମସ୍ତ କଥା ବୁଝାଯିବ ବୋଲି ଡିଜିପି କହିଛନ୍ତି ।
ପ୍ରକାଶ ଯେ, ଆତ୍ମସମର୍ପଣ ପରେ ମାଓବାଦୀଙ୍କ ଚିକିତ୍ସା ମାଗଣାରେ କରାଯିବ ବୋଲି ମାଲକାନଗିରି ଏସପିଙ୍କ ଘୋଷଣା ପରେ ଗୁରୁବାର କରୋନା ଆକ୍ରାନ୍ତ ମାଓଦମ୍ପତି ଆତ୍ମସମର୍ପଣ କରିଥିଲେ । ଛତିଶଗଡ଼ କାଙ୍କେର ପୁଲିସ ନିକଟରେ ମାଓ ଦମ୍ପତି ଆତ୍ମସମର୍ପଣ କରିଥିଲେ । କରୋନା ଲକ୍ଷଣ ଥିବାରୁ ସେମାନେ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ । ପୁଲିସ ପକ୍ଷରୁ ସେମାନଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯାଇଥିବା ସୂଚନା ମିଳିଛି ।
ଛତିଶଗଡ଼ରେ ମାଓବାଦୀଙ୍କୁ କରୋନା ବ୍ୟାପିବା ପ୍ରସଙ୍ଗରେ ଗତ ବୁଧବାର ମାଓ ସଂଗଠନକୁ ମାଲକାନଗିରି ଏସପି ରିଷିକେଶ ଖିଲାରୀ ଏକ ବଡ଼ ଆହ୍ୱାନ ଦେଇଥିଲେ । କରୋନା କିମ୍ବା ଅନ୍ୟ ରୋଗରେ ପୀଡ଼ିତ ଥିଲେ ମାଓବାଦୀଙ୍କୁ ଆତ୍ମସମର୍ପଣ କରିବାକୁ ଏସପି କହିଥିଲେ । ସେ କହିଥିଲେ ଯେ, ପୁଲିସ ପକ୍ଷରୁ ମାଓବାଦୀଙ୍କୁ ମାଗଣା ଚିକିତ୍ସା ପ୍ରଦାନ କରାଯିବ । ଅନ୍ୟାନ୍ୟ ସହଯୋଗ ମଧ୍ୟ କରାଯିବ । ସବୁଠୁ ବଡ଼ କଥା ହେଲା ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ନାମରେ କୌଣସି ମାମଲା ହେବ ନାହିଁ ବୋଲି ମାଲକାନଗିରି ଏସପି ରିଷିକେଶ ଖିଲାରୀ କହିଥିଲେ ।
Powered by Froala Editor