ଅକ୍ସିଜେନ ପ୍ଲାଣ୍ଟ ପାଇଁ ହର୍ଷବର୍ଦ୍ଧନଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ ଅକ୍ସିଜେନର ଅଭାବ ସମସ୍ୟା ଦେଖାଦେଉଛି । ଏପରିକି ଅକ୍ସିଜେନ ଅଭାବରୁ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ମଧ୍ୟ ହେଉଥିବା ନେଇ ଅଭିଯୋଗ ମଧ୍ୟ ହେଉଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖିଛନ୍ତି । ଓଡ଼ିଶାର ୧୫ଟି ଜିଲ୍ଲାରେ ୧୯ଟି ମେଡିକାଲ ଅକ୍ସିଜେନ ପ୍ଲାଣ୍ଟ ବ୍ୟବସ୍ଥା ପାଇଁ ଧର୍ମେନ୍ଦ୍ର ଉକ୍ତ ଚିଠିରେ ଅନୁରୋଧ କରିଛନ୍ତି ।
ବାଲେଶ୍ୱର, ବଲାଙ୍ଗିର, ଗଞ୍ଜାମ ଓ ମୟୂରଭଞ୍ଜରେ ୨ଟି ଲେଖାଏଁ ମେଡିକାଲ ଅକ୍ସିଜେନ ପ୍ଲାଣ୍ଟ ବ୍ୟବସ୍ଥା ପାଇଁ ଧର୍ମେନ୍ଦ୍ର ଉକ୍ତ ଚିଠିରେ ଅନୁରୋଧ କରିଛନ୍ତି । ଏହାଛଡ଼ା କଟକ, ଦେବଗଡ଼, ଢେଙ୍କାନାଳ ଓ ଜଗତସିଂହପୁରରେ ଗୋଟିଏ ଲେଖାଏଁ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କୋରାପୁଟ ଓ ପୁରୀରେ ବି ଗୋଟିଏ ଲେଖାଏଁ ଏବଂ ରାୟଗଡ଼ା, ସମ୍ବଲପୁର ଓ ସୁବର୍ଣ୍ଣପୁରରେ ବି ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଧର୍ମେନ୍ଦ୍ର ପ୍ରଧାନ ଉକ୍ତ ଚିଠିରେ କେନ୍ଦ୍ରସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଅନୁରୋଧ କରିଛନ୍ତି । ଏନେଇ ତୁରନ୍ତ ପଦକ୍ଷେପ ନେବାକୁ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି ।
Powered by Froala Editor