ଯାତ୍ରୀବାହୀ ବସରେ ନିଆଁ, ଜଳିଗଲେ ୧୪

ମୁମ୍ବାଇ: ମହାରାଷ୍ଟ୍ର ନାସିକରେ ଏକ ଯାତ୍ରୀବାହୀ ବସରେ ନିଆଁ ଲାଗିଯିବା କାରଣରୁ ୧୪ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଅଘଟଣରେ ଏକାଧିକ ଆହତ ମଧ୍ୟ ହୋଇଛନ୍ତି । ନାସିକ-ଔରଙ୍ଗାବାଦ ରାସ୍ତାର ହୋଟେଲ ଚିଲି ଛକ ନିକଟରେ ଭୋର ପ୍ରାୟ ୪ଟା ବେଳେ ଅଘଟଣ ଘଟିଥିବା ସୂଚନା ମିଳିଛି । ବସରେ ପ୍ରାୟ ୩୦ରୁ ଊର୍ଦ୍ଧ୍ବ ଯାତ୍ରୀ ଥିଲେ । ନିଆଁ ଲାଗିବାର ନିର୍ଦ୍ଦିଷ୍ଟ କାରଣ ଜଣାପଡିନାହିଁ । ନିକଟସ୍ଥ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଯାତ୍ରୀଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲେ । ସ୍ଥାନୀୟ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି ।
ଦୁର୍ଘଟଣା ସମ୍ପର୍କରେ ମିଳିଥିବା ସୂଚନା ଅନୁସାରେ, ବସଟି ପ୍ରାୟ ୩୦ରୁ ଅଧିକ ଯାତ୍ରୀଙ୍କୁ ନେଇ ମହାରାଷ୍ଟ୍ରର ଏଭତମାଲରୁ ନାସିକ ଅଭିମୁଖେ ଯାଉଥିଲା । ନାସିକ-ଔରଙ୍ଗାବାଦ ରାସ୍ତାର ହୋଟେଲ ଚିଲି ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ସହ ବସଟି ମୁହାଁମୁହି ଧକ୍କା ହୋଇଥିଲା । ବସରେ ନିଆଁ ଲାଗିଯାଇଥିଲା । ବସଟିର ଡିଜେଲ ଟ୍ୟାଙ୍କରେ ନିଆଁ ଲାଗିଯିବା ଫଳରେ ଟାଙ୍କିଟି ବିସ୍ଫୋରଣ ହୋଇ ସମଗ୍ର ବସଟି ଜଳି ଉଠିଥିଲା । ସ୍ଥାନୀୟ ଲୋକେ ଏହା ଦେଖି ପୋଲିସ ଓ ପ୍ରଶାସନକୁ ସୂଚନା ଦେବା ସହ ଯାତ୍ରୀଙ୍କୁ ଉଦ୍ଧାର କରିବା ଆରମ୍ଭ କରିଥିଲେ । ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।ବର୍ତ୍ତମାନ ୧୪ ଯାତ୍ରୀଙ୍କ ମୃତ୍ୟୁ ସରକାରୀ ଭାବେ ପ୍ରକାଶ କରାଯାଇଛି । ଆହତଙ୍କ ମଧ୍ୟରେ କିଛି ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ମଧ୍ୟ ଆଶଙ୍କା ରହିଛି ।
Powered by Froala Editor