ଚଉଠି ରାତିରେ ସୁନାଗହଣା ଓ ଟଙ୍କା ନେଇ ଚମ୍ପଟ ମାରିଲା ନବବଧୂ

ଖଣ୍ଡଗିରି: ଚଉଠି ରାତିରେ ସୁନାଗହଣା ଓ ଟଙ୍କା ନେଇ ଚମ୍ପଟ ମାରିଲା ନବବଧୂ । ଏଭଳି ଘଟଣା ଘଟିଛି ଭୁବନେଶ୍ୱର ଖଣ୍ଡଗିରି ଥାନା ଡୁମୁଡୁମା ରଘୁନାଥନଗରରେ । ଏ ନେଇ ଯୁବକଙ୍କ ଦାଦା ନରେଶ ବାରିକ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ପୁଲିସଘଟଣାର ତଦନ୍ତ କରିବା ସହ ଫେରାର ଥିବା ନବବଧୂଙ୍କୁ ଧରିବା ପାଇଁ ଉଦ୍ୟମ କରୁଥିବା ତଦନ୍ତକାରୀ ଅଧିକାରୀ କହିଛନ୍ତି । ଏହି ଘଟଣା ଖଣ୍ଡଗିରି ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ନବବଧୂ ଜଣଙ୍କ ଗଙ୍ଗପଡ଼ା ଅଞ୍ଚଳର ଜଣେ ଯୁବକଙ୍କ ସହ ଫେରାର ହୋଇଯାଇଥିବା ସୂଚନା ମିଳିଛି । ନବବଧୂଙ୍କୁ ନେଇ ଫେରାର ଯୁବକ ଜଣଙ୍କ ବିବାହିତ । ଫେରାର ଯୁବକଙ୍କ ପରିବାର ପକ୍ଷରୁ ମେଣ୍ଢାଶାଳ ଫାଣ୍ଡିରେ ଏ ନେଇ ଏତଲା ମଧ୍ୟ କରାଯାଇଛି । ସୂଚନା ଅନୁଯାୟୀ, ଡୁମୁଡୁମା ରଘୁନାଥନଗରରେ ରହନ୍ତି ସନ୍ତୋଷ ବାରିକ ଓରଫ ସିପୁ । ସନ୍ତୋଷ ନୟାଗଡ଼ ଜିଲ୍ଲା ରାଜସୁନାଖଳା ଗ୍ରାମର ଜନୈକ ବ୍ୟକ୍ତିଙ୍କ ଝିଅଙ୍କୁ ବୈଦିକ ରୀତିରେ ଆଇଗଣିଆ ଫୁଲେଶ୍ୱର ବସ୍ତିରେ ଗତ ୭ ତାରିଖ ଦିନ ବିବାହ କରିଥିଲେ । ୧୦ ତାରିଖ ରାତିରେ ନବବଧୂଙ୍କ ଚତୁର୍ଥୀର ଆୟୋଜନ କରିଥିଲେ ଶ୍ୱଶୁର ଘର ଲୋକେ । ରାତି ସାଢେ଼ ୧୦ଟା ସମୟରେ ନବବଧୂ କହିଥିଲେ ମୋର ମୁଣ୍ଡ ବୁଲାଇ ହେଉଛି । ପରିବାର ଲୋକେ ତାଙ୍କ ମୁଣ୍ଡରେ ତେଲ ମାଲିସ କରିବା ପରେ ସେ ଜାଣିଶୁଣି ଶୋଇପଡ଼ିଥିଲେ । ସେହି ସମୟରେ ବିଜୁଳି ମଧ୍ୟ କଟି ଯାଇଥିଲା । ପରିବାର ଲୋକଙ୍କ ଅନ୍ୟମନସ୍କତାର ସୁଯୋଗ ନେଇ କେହି ନଥିବା ସମୟରେ ୮ ଭରି ସୁନାଗହଣା, ୫୦ ହଜାର ଟଙ୍କା ସହ ବହୁ ମୂଲ୍ୟବାନ ଜିନିଷ ନେଇ ନବବଧୁ ଚମ୍ପଟ ମାରିଥିଲେ ।
Powered by Froala Editor