ପୁଲିସ ଏନକାଉଣ୍ଟରରେ ହାର୍ଡାକୋର ମାଓବାଦୀର ମୃତୁ୍ୟ

ମାଲକାନଗିରି: ମାଓ ଶିବିରରେ ଏବେ କରୋନାର କାୟା ଯୋଗୁଁ ବହୁ ମାଓବାଦୀ ମୃତୁ୍ୟବରଣ କରୁଥିବାବେଳେ ଆଜି ପୁଲିସ ଏନକାଉଣ୍ଟରରେ ଜଣେ ହାର୍ଡାକୋର ମାଓବାଦୀର ମୃତୁ୍ୟ ହୋଇଥିବା ଖବର ସାମନାକୁ ଆସିଛି । ଛତିଶଗଡ଼ ଦାନ୍ତେୱାଡା ଜିଲ୍ଲା ମୁସ୍ତାନାର ଜଙ୍ଗଲରେ ଏହି ଏନକାଉଣ୍ଟର ଘଟିଛି । ପୁଲିସ ଗୁଳିରେ ହାର୍ଡକୋର ମାଓବାଦୀ ରାମଚନ୍ଦ୍ର କାର୍ତ୍ତିର ମୃତୁ୍ୟ ହୋଇଛି ।
ପ୍ରକାଶ ଯେ, ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ସବୁ ବର୍ଗର ଲୋକଙ୍କୁ କରୋନା ଗ୍ରାସ କରିସାରିଲାଣି । ଏପରିକି ମାଓ ଶିବିରରେ ମଧ୍ୟ କରୋନା ତା’ର କାୟା ମେଲାଇ ଚାଲିଛି । କରୋନାରେ ଆକ୍ରାନ୍ତ ହୋଇ କିଛି ମାଓବାଦୀଙ୍କ ମୃତୁ୍ୟ ମଧ୍ୟ ହୋଇଥିବା କୁହାଯାଉଛି । ତେବେ ଆତ୍ମସମର୍ପଣ ପରେ ମାଓବାଦୀଙ୍କ ଚିକିତ୍ସା ମାଗଣାରେ କରାଯିବ ବୋଲି ଘୋଷଣା କରାଯିବା ପରେ ଗତକାଲି କରୋନା ଆକ୍ରାନ୍ତ ମାଓଦମ୍ପତି ଆତ୍ମସମର୍ପଣ କରିଥିଲେ । ଛତିଶଗଡ଼ କାଙ୍କେର ପୁଲିସ ନିକଟରେ ମାଓ ଦମ୍ପତି ଆତ୍ମସମର୍ପଣ କରିଥିଲେ । କରୋନା ଲକ୍ଷଣ ଥିବାରୁ ସେମାନେ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ । ପୁଲିସ ପକ୍ଷରୁ ସେମାନଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯାଇଥିବା ସୂଚନା ମିଳିଛି ।
ଛତିଶଗଡ଼ରେ ମାଓବାଦୀଙ୍କୁ କରୋନା ବ୍ୟାପିବା ପ୍ରସଙ୍ଗରେ ଗତ ବୁଧବାର ମାଓ ସଂଗଠନକୁ ମାଲକାନଗିରି ଏସପି ରିଷିକେଶ ଖିଲାରୀ ଏକ ବଡ଼ ଆହ୍ୱାନ ଦେଇଥିଲେ । କରୋନା କିମ୍ବା ଅନ୍ୟ ରୋଗରେ ପୀଡ଼ିତ ଥିଲେ ମାଓବାଦୀଙ୍କୁ ଆତ୍ମସମର୍ପଣ କରିବାକୁ ଏସପି କହିଥିଲେ । ସେ କହିଥିଲେ ଯେ, ପୁଲିସ ପକ୍ଷରୁ ମାଓବାଦୀଙ୍କୁ ମାଗଣା ଚିକିତ୍ସା ପ୍ରଦାନ କରାଯିବ । ଅନ୍ୟାନ୍ୟ ସହଯୋଗ ମଧ୍ୟ କରାଯିବ । ସବୁଠୁ ବଡ଼ କଥା ହେଲା ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ନାମରେ କୌଣସି ମାମଲା ହେବ ନାହିଁ ବୋଲି ମାଲକାନଗିରି ଏସପି ରିଷିକେଶ ଖିଲାରୀ କହିଥିଲେ ।
Powered by Froala Editor