ଋଷ ସ୍କୁଲରେ ଫୁଟିଲା ଗୁଳି : ୧୩ ମୃତ, ମୃତକଙ୍କ ଭିତରେ ଅଛନ୍ତି ୭ ଶିଶୁ
କେନ୍ଦ୍ରୀୟ ଋଷ ସ୍ଥିତ ଇଜେଭସ୍କର ୮୮ ନମ୍ୱର ସ୍କୁଲରେ ଗୁଳି ଚାଳନା ହୋଇଥିବା ଖବର ସାମ୍ନାକୁ ଆସିଛି। ଗୁଳିକାଣ୍ଡରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି । ଖବର ଅନୁସାରେ ମୃତକଙ୍କ ମଧ୍ୟରେ ୭ ଜଣ ଶିଶୁ ଅଛନ୍ତି । ଅନ୍ୟପଟେ ଗଭର୍ଣ୍ଣର ଏବଂ ସ୍ଥାନୀୟ ପୋଲିସର କହିବା କଥା ଗୁଳି ମାରିଥିବା ବ୍ୟକ୍ତି ପରେ ନିଜକୁ ଗୁଳି ମାରିଛି । ଗୁଳିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନାହିଁ। ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି।
ସୂଚନା ଅନୁସାରେ, ସୋମବାର ଋଷର ଇଜେଭସ୍କ ସ୍ଥିତ ଏକ ସ୍କୁଲରେ ଜଣେ ବନ୍ଧୁକଧାରୀ ଗୁଳି ଚଳାଇଥିଲା। ଟେଲିଗ୍ରାମ ମେସେଞ୍ଜର ଆପରେ ଦେଇଥିବା ବୟାନରେ ଅଞ୍ଚଳର ଗଭର୍ଣ୍ଣର ଆଲେକ୍ସଜାଣ୍ଡାର୍ ବ୍ରେଚଲୋଭ୍ କହିଛନ୍ତି ଯେ, ବିଦ୍ୟାଳୟରେ ଉଦ୍ଧାରକାରୀ ଦଳ ପହଞ୍ଚି ସାରିଛନ୍ତି। ମୃତକଙ୍କ ମଧ୍ୟରେ ପିଲାମାନେ ବି ଅଛନ୍ତି।
ଗଭର୍ଣ୍ଣରଙ୍କ କହିବା ଅନୁସାରେ, ଯେଉଁ ସ୍କୁଲରେ ଗୁଳିମାଡର ଏହି ଘଟଣା ଘଟିଛି ସେଠାରେ ପ୍ରଥମରୁ ଏକାଦଶ ଶ୍ରେଣୀ ଯାଏ ପିଲାଙ୍କୁ ପାଠ ପଢାଯାଉଛି । ସ୍କୁଲକୁ ଖାଲି କରାଯାଇଛି ଏବଂ ସମ୍ପୂର୍ଣ୍ଣ ଅଞ୍ଚଳକୁ ଘେରାବନ୍ଧୀ କରାଯାଇଛି । ସ୍ଥାନୀୟ ଲୋକଙ୍କ ଦାବି ଅନୁସାରେ, ଆକ୍ରମଣକାରୀ କଳା ରଙ୍ଗର ଟି-ସାର୍ଟ ପିନ୍ଧିଥିଲା ଏବଂ ଉପରେ ନାଜୀ ଚିହ୍ନ ଥିଲା।
Powered by Froala Editor