ପରିବେଶ ପ୍ରଦୂଷଣ ନିୟମ ଉଲ୍ଲଙ୍ଘନ, ଜୋରିମାନା ଦେବେ ପଞ୍ଜାବ ସରକାର
ଚଣ୍ଡିଗଡ: ପରିବେଶ ପ୍ରଦୂଷଣ ନିୟମ ଉଲ୍ଲଙ୍ଘନ ପାଇଁ ପଞ୍ଜାବ ସରକାରଙ୍କୁ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲର ଜୋରିମାନା । ଏକାଧିକ ପର୍ୟ୍ୟାବରଣ ସମ୍ପର୍କିତ ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗରେ ୨,୦୮୦ କୋଟି ଟଙ୍କା ଗଣିବେ ପଞ୍ଜାବ ସରକାର । ରାଜ୍ୟରେ କଠିନ ଓ ତରଳ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ପଞ୍ଜାବ ସରକାର କିଛି କାର୍ୟ୍ୟପନ୍ଥା ଗ୍ରହଣ କରୁନଥିବାରୁ ଟ୍ରିବ୍ୟୁନାଲ ଏହି ଫାଇନ ଜାରି କରିଥିବା ସୂଚନା ମିଳିଛି । ୨୦୧୮ ରୁ ରାଜ୍ୟରେ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକ୍ରିୟା ନିରୀକ୍ଷଣ କରୁଥିଲା ଟ୍ରିବ୍ୟୁନାଲ ଟିମ । ପରିଚାଳନାରେ ତ୍ରୁଟି ଓ ସରକାରଙ୍କ ଦାୟିତ୍ବହୀନତା ସାମ୍ନାକୁ ଆସିବା ପରେ ଏହି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ଗତ ତିନି ସପ୍ତାହ ମଧ୍ୟରେ ଏକାଧିକ ରାଜ୍ୟ ଉପରେ ମଧ୍ୟ ସମାନ ଧରଣର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି ଏନଜିଟି । ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଏବଂ ରାଜସ୍ଥାନ ମଧ୍ୟ କ୍ଷତିପୂରଣ ପ୍ରଦାନ ନେଇ ନିର୍ଦ୍ଦେଶ ପାଇଛନ୍ତି । ବର୍ଜ୍ୟବସ୍ତୁ ପରିଚାଳନାରେ ସଠିକ ଭାବେ କାର୍ୟ୍ୟପନ୍ଥା ଗ୍ରହଣ କରିନଥିବା କାରଣ ପାଇଁ ରାଜସ୍ଥାନକୁ ୩ ହଜାର କୋଟି, ମହାରାଷ୍ଟ୍ରକୁ ୧୨ ହଜାର କୋଟି ଓ ପଶ୍ଚିମବଙ୍ଗକୁ ୩ ହଜାର ୫ ଶହ କୋଟି ଟଙ୍କାର ଆର୍ଥିକ ଦଣ୍ଡରେ ଦଣ୍ଡିତ କରିଥିଲେ ଟ୍ରିବ୍ୟୁନାଲ । ପଞ୍ଜାବର ବର୍ଜ୍ୟବସ୍ତୁ ପରିଚାଳନା ପ୍ରକ୍ରିୟାକୁ ଅନୁସରଣ କରୁଥିବା ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ୨୨ ତାରିଖରେ ପଞ୍ଜାବକୁ ମଧ୍ୟ ଜୋରିମାନା ଘୋଷଣା କରିଛନ୍ତି ।ଏନଜିଟି ଆହୁରି ମଧ୍ୟ କହିଛି ଯେ, ଏହି ବର୍ଜ୍ୟବସ୍ତୁ ପରିଚାଳନା ନିୟମରେ ଖିଲାପକାରୀଙ୍କ ବିରୋଧରେ ରାଜ୍ୟ ସରକାର କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି । କାର୍ୟ୍ୟରେ ଦାୟିତ୍ବହୀନତା ପ୍ରଦର୍ଶନ କରିଥିବା ସମ୍ପୃକ୍ତ ନିଗମ ଓ ପୌର କର୍ତ୍ତୃପକ୍ଷଙ୍କ ବିରୋଧରେ କୌଣସି ବିଭାଗୀୟ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଏମିତିକି ପାଇଁ କୌଣସି ପରଫରମାନ୍ସ ଅଡିଟ ମଧ୍ୟ ହୋଇନାହିଁ । ଏହି ଫାଇନ ଜାରି କରିବା ପୂର୍ବରୁ ପଞ୍ଜାବ ମୁଖ୍ୟ ଶାସନକୁ ମଧ୍ୟ ଉତ୍ତର ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲା ଟ୍ରିବ୍ୟୁନାଲ । ସନ୍ତୋଷଜନକ ଉତ୍ତର ନମିଳିବା କାରଣରୁ ଏପରି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଟ୍ରିବ୍ୟୁନାଲ ।
Powered by Froala Editor