ନୂଆ ସଂସଦ ଭବନ ଉଡ଼ାଇବାକୁ ପୂର୍ବତନ ବିଧାୟକଙ୍କ ଧମକ: ବ୍ୟାଗ୍ରେ ପଠାଇଲେ ଜିଲେଟିନ୍ ଛଡ଼ ଓ ଧମକପୂର୍ଣ୍ଣ ଚିଠି
ମଧ୍ୟପ୍ରଦେଶର ପୂର୍ବତନ ବିଧାୟକ କିଶୋର ସମରିତେ ନୂଆ ସଂସଦ ଭବନ (ସେଣ୍ଟ୍ରାଲ ଭିସ୍ତା)କୁ ଉଡ଼ାଇ ଦେବାକୁ ଧମକ ଦେଇ ଗିରଫ ହୋଇଛନ୍ତି । ସୋମବାର ଦିନ କିଶୋରଙ୍କୁ ଭୋପାଳର କୋଲାରରୁ ଗିରଫ କରାଯାଇଛି । କିଶୋର ଏକ ବ୍ୟାଗରେ ଜିଲେଟିନ୍ ଛଡ଼ ଓ ଧମକପୂର୍ଣ୍ଣ ଚିଠି ଲୋକସଭା-ରାଜ୍ୟସଭା ସିକ୍ୟୁରିଟି ଜେନରାଲଙ୍କ ପାଖକୁ ପଠାଇଥିଲେ । ପତ୍ରରେ ସେ ସଂସଦ ଭବନ ଉଡ଼ାଇବାକୁ ଧମକ ଦେଇଥିଲେ ।
ପ୍ରାୟ ଏକ ସପ୍ତାହ ତଳେ ସଂସଦ ଭବନରେ ନିୟୋଜିତ ଜଣେ ସୁରକ୍ଷାକର୍ମୀଙ୍କୁ ଏକ ବ୍ୟାଗ୍ ମିଳିଥିଲା । ଏହି ବ୍ୟାଗରେ ଜାତୀୟ ପତାକା,ସମ୍ବିଧାନର କପି,ଜିଲେଟିନ୍ ରଡ୍ ଓ ଏକ ପତ୍ର ଥିଲା । ପତ୍ରରେ ୭୦ ଦାବି ପୁରଣ ନହେଲେ ନୂଆ ସଂସଦ ଭବନକୁ ଉଡ଼ାଇ ଦେବାକୁ ଧମକ ଦିଆଯାଇଥିଲା । ୩୦ ତାରିଖ ସୁଧା ଦାବି ପୁରଣ କରିବାକୁ ଏଥିରେ ଚେତାବନୀ ଦିଆଯାଇଥିଲା । ଏହି ପତ୍ର ମିଳିବା ପରେ ଦିଲ୍ଲୀ କ୍ରାଇମ ବ୍ରାଂଚ,ଆଇବି ସମେତ ଅନ୍ୟ ସୁରକ୍ଷା ଏଜେନ୍ସି ସତର୍କ ହୋଇଯାଇଥିଲେ ।
କିଶୋର ମଧ୍ୟପ୍ରଦେଶର ଲାଂଜି ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ତାଙ୍କର ମାଓବାଦୀଙ୍କ ସହିତ ସମ୍ପର୍କ ଥିବା ନେଇ ମଧ୍ୟ ଆଗରୁ ଅଭିଯୋଗ ରହିଛି । ଆର୍ମସ ଆକ୍ଟରେ ସେ ଆଗରୁ ଗିରଫ ହୋଇ ଜେଲ ମଧ୍ୟ ଯାଇଛନ୍ତି ।
Powered by Froala Editor