ଗୋଆରେ କଂଗ୍ରେସକୁ ଶକ୍ତ ଧକ୍କା : ବିଜେପିରେ ମିଶିଲେ ୮ ବିଧାୟକ

ପୁଣି ୮ ଜଣ ବିଧାୟକ କଂଗ୍ରେସର ହାତ ଛାଡି ବିଜେପିର ପଦ୍ମ ଧରିଛନ୍ତି। ଗୋଆ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ୮ ଜଣ ବିଧାୟକ ଆଜି ବାଚସ୍ପତିଙ୍କୁ ଭେଟିବା ପରେ ଏଭଳି ନିଷ୍ପତି ନେଇଛନ୍ତି। ବିଜେପିରେ ଯୋଗ ଦେଇଥିବା ବିଧାୟକମାନେ ହେଉଛନ୍ତି ଦିଗମ୍ବର କମାତ, ମାଇକେଲ୍ ଲୋବ, ଦଲିଲା ଲୋବ, ରାଜେଶ ଫଲଦେଶାଇ, କେଦାର ନାୟକ, ସକଳ୍ପ ଅମୋନକର, ଆଲେଇକ୍ସୋ ସିକେରା ଓ ରୁଡୋଲ୍ଫ ଫର୍ଣ୍ଣାଡିଜ୍। ଏହି ସମସ୍ତ ବିଧାୟକ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କୁ ଭେଟି ବିଧିବଦ୍ଧ ଭାବେ ଗେରୁଆ ଦଳରେ ମିଶିଛନ୍ତି।
ବିରୋଧୀ ଦଳର ନେତା ମାଇକେଲ ଲୋବୋ କଂଗ୍ରେସ ବିଧାନସଭା ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ। ଏହି ବୈଠକରେ କଂଗ୍ରେସ ବିଧାନସଭା ପାର୍ଟିକୁ ବିଜେପି ସହ ମିଶ୍ରଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।
ମାଇକେଲ ଏନେଇ ଗଣମାଧ୍ୟମରେ କହିଛନ୍ତି ଯେ ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ସାମର୍ଥ୍ୟକୁ ଦୃଢ଼ କରିବାକୁ ଆମେ ଏପରି ନିଷ୍ପତ୍ତି ନେଇଛୁ। ସେ ଆହୁରି ବି କହିଛନ୍ତି ଯେ ‘କଂଗ୍ରେସ ଛାଡ, ବିଜେପି ଯୋଡ଼’। ଏଭଳି ସ୍ଥିତିରେ କଂଗ୍ରେସର ୮ ଜଣ ବିଧାୟକ ବିଜେପିରେ ଯୋଗ ଦେବା ପରେ ବିଧାନସଭାରେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା ୩ରେ ପହଞ୍ଚି ଯାଇଛି । ଆଉ ବିଜେପି ବିଧାୟକଙ୍କ ସଂଖ୍ୟା ୨୩କୁ ବୃଦ୍ଧି ପାଇଛି।
ଏହି ବିଧାୟକମାନେ ଦଳ ଛାଡ଼ିବା ସହ ସେମାନଙ୍କ ମିଶ୍ରଣ ପତ୍ରକୁ ବିଧାନସଭାରେ ଦାଖଲ କରିଛନ୍ତି। କଂଗ୍ରେସର ବିଧାୟକମାନେ ଦଳ ଛାଡ଼ି ବିଜେପିରେ ମିଶିବା ପରେ ବିଜେପି ମୁଖପାତ୍ର ସେହଜାଦ୍ ପୁନାୱାଲା ଟ୍ବିଟ୍ କରି ‘ଗୋ ଗୋଆ ଗନ୍’ ବୋଲି ଲେଖିଛନ୍ତି।
Powered by Froala Editor