ଆଜି ନିବେଶକ ସମ୍ମିଳନୀରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଓଡିଶା ଇନଭେଷ୍ଟର୍ସ ମିଟରେ ସାମିଲ ହେବା ଲାଗି ମୁମ୍ବାଇ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଆଜି ଦେଶର ବାଣିଜ୍ୟିକ ରାଜଧାନୀ ମୁମ୍ବାଇରେ ଓଡ଼ିଶା ସରକାର ଆୟୋଜନ କରିଥିବା ନିବେଶକ ସମ୍ମିଳନୀରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ପର୍ୟ୍ୟାୟରେ ଦେଶର ବଡ ବଡ ଉଦ୍ୟୋଗପତିମାନଙ୍କ ସହ ଏହି ସମ୍ମିଳନୀରେ ସିଧାସଳଖ ଆଲୋଚନା କରିବେ । ପ୍ରଥମାର୍ଦ୍ଧରେ ମୁଖ୍ୟମନ୍ତ୍ରୀ ଦିନ ୧୧ ଟାରୁ ୧ ଟା ୩୦ ମିନିଟ ମଧ୍ୟରେ ଉଦ୍ୟୋଗପତିମାନଙ୍କ ଆଲୋଚନା କରିବେ । ସେହିପରି ଅପରାହ୍ନ ୫ ଟାରୁ ୬ ଟା ମଧ୍ୟରେ ମୁଖ୍ୟମନ୍ତ୍ରୀ ଆଦିତ୍ୟ ବିର୍ଲା ଗ୍ରୁପ୍ ଅଧ୍ୟକ୍ଷ କୁମାର ମଙ୍ଗଲମ ବିର୍ଲା , ବେଦାନ୍ତ ରିସୋର୍ସେସ ନିଃ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ ଓ ଅନ୍ୟ କିଛି ବଡ଼ବଡ଼ ଶିଳ୍ପପତିଙ୍କ ସହ ଆଲୋଚନା କରିବାର କାର୍ୟ୍ୟକ୍ରମ ରହିଛି ।
ସନ୍ଧ୍ୟା ୭ଟାରେ ମୁଖ୍ୟମନ୍ତ୍ରୀ ସମସ୍ତ ନିବେଶକମାନଙ୍କୁ ଆଗାମୀ ମେକ ଇନ ଓଡ଼ିଶା କାର୍ୟ୍ୟକ୍ରମରେ ଯୋଗ ଦେବାକୁ ନିମନ୍ତ୍ରଣ କରିବାର କାର୍ୟ୍ୟକ୍ରମ ରହିଛି । ରାଜ୍ୟରେ ବ୍ୟାଙ୍କିଂ ଏଣ୍ଡ ଫିନଟେକ କ୍ଷେତ୍ରର ନିବେଶକୁ ଆକୃଷ୍ଟ କରିବା ପାଇଁ ସରକାର ଗୁରୁତ୍ଵ ଦେଉଛନ୍ତି । ଏହି ପରିପ୍ରେକ୍ଷୀରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଅଧ୍ୟକ୍ଷ ଦୀନେଶ କୁମାର ଖରା, ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଚେୟାରମ୍ୟାନ ଏସ. ଏସ ମୁଦ୍ରା, ଏଚଡିଏଫସି ବ୍ୟାଙ୍କର କଣ୍ଟ୍ରି ହେଡ ଅରବିନ୍ଦ ଭୋରା, ଆଇସିଆଇସିଆଇ ବ୍ୟାଙ୍କର କାର୍ୟ୍ୟନିବାହୀ ନିର୍ଦ୍ଦେଶକ ରାକେଶ ଝା ପ୍ରମୁଖ ଏହି ସମ୍ମିଳନୀରେ ଯୋଗ ଦେବେ ବୋଲି ଜଣାପଡ଼ିଛି । ରାଜ୍ୟରେ ବ୍ୟାଙ୍କିଙ୍ଗ, କେମିକାଲ ନବୀକରଣଯୋଗ୍ୟ ଉପକରଣ ପ୍ଲାଷ୍ଟିକ ଏଣ୍ଡ ମେଟାଲ ଡାଉନଷ୍ଟ୍ରିମରେ ବ୍ୟାପକ ସୁଯୋଗ ରହିଛି । ଟାଟାଷ୍ଟିଲ, ଏଏମଏନଏସ, ନାଲକୋ, ଜେଏସିଏଲ, ଜେଏସପିଏଲ, ବେଦାନ୍ତ ଗ୍ରୁପ ଏବଂ ଆଦିତ୍ୟ ବିର୍ଲା ଗ୍ରୁପଗୁଡ଼ିକର ପ୍ରତିନିଧି ଏବଂ ଭେଣ୍ଡର ନିବେଶକ ରୋଡ ଶୋରେ ଯୋଗ ଦେବେ ।
Powered by Froala Editor