ଭାରତ ଯୋଡୋ ଯାତ୍ରାରେ ରାହୁଲଙ୍କୁ ମିଳିଲା ବିବାହ ପ୍ରସ୍ତାବ
କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଭାରତ ଯୋଡ଼ ଯାତ୍ରାରେ କନ୍ୟାକୁମାରୀରୁ କଶ୍ମୀର ଅଭିମୁଖେ ଯାତ୍ରା କରୁଛନ୍ତି। ଆଜି ତାଙ୍କ ଗସ୍ତର ଚତୁର୍ଥ ଦିନ ହୋଇଥିବାବେଳେ ସେ କନ୍ୟାକୁମାରୀର ମାର୍ଥାଣ୍ଡାମରେ ମନରେଗାର ମହିଳା ଶ୍ରମିକଙ୍କୁ ଭେଟିଥିଲେ। ଆଉ ଏହି ସମୟରେ ମହିଳାମାନେ ତାଙ୍କୁ ବିବାହ ପ୍ରସ୍ତାବ ଦେଇଥିବାର ଜଣାପଡିଛି । ଜଣେ ତାମିଲ ଝିଅକୁ ବିବାହ କରିବାକୁ ପ୍ରସ୍ତାବ ଆସିଛି। ଏହି ଖବର ଯେତିକି ରୋଚକ ସେତିକି ଚର୍ଚ୍ଚାର ବିଷୟ ପାଲଟିଛି।
କଂଗ୍ରେସ ସାଂସଦ ଜୟରାମ ରମେଶ ଏବାବଦରେ ଟ୍ୱିଟ କରି କହିଛନ୍ତି ଯେ ରାହୁଲ ମହିଳାମାନଙ୍କ ସହ ତାଙ୍କ ବିବାହ ବାବଦରେ କଥାବାର୍ତ୍ତା କରିଥିଲେ। ଯେଉଁଥିରେ ମହିଳାମାନେ ରାହୁଲ ଗାନ୍ଧୀଙ୍କ ସହ ତାଙ୍କ ବିବାହ ବିଷୟରେ ଆଲୋଚନା କରିଥିଲେ। ରାହୁଲ ଗାନ୍ଧୀ ତାଙ୍କ ବିବାହ ବିଷୟରେ ଶୁଣିବା ପରେ ବହୁତ ଖୁସି ମନେ ହେଉଥିଲେ। ମହିଳାମାନେ ରାହୁଲଙ୍କୁ କହିଥିଲେ ଯେ, ସେମାନେ ଜାଣନ୍ତି ଯେ ରାହୁଲ ଗାନ୍ଧୀ ତାମିଲନାଡୁକୁ ବହୁତ ଭଲ ପାଆନ୍ତି। ତେଣୁ ରାହୁଲଙ୍କ ବିବାହ ପାଇଁ ଜଣେ ତାମିଲ ଝିଅର ବ୍ୟବସ୍ଥା କରିଦେବେ ବୋଲି ମହିଳାମାନେ କହିଥିଲେ ।
ଉଲ୍ଲେଖଯୋଗ୍ୟ, କଂଗ୍ରେସ ‘ଭାରତ ଯୋଡୋ’ ଯାତ୍ରା ୧୨ ଟି ରାଜ୍ୟ ଏବଂ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳକୁ କଭର୍ କରିବ। ପାଞ୍ଚ ମାସ ମଧ୍ୟରେ କାନ୍ୟା କୁମାରୀ ଠାରୁ ଜମ୍ମୁ କଶ୍ମୀର ପର୍ଯ୍ୟନ୍ତ ୩,୭୫୦ କିଲୋମିଟର ଦୂରତା ଅତିକ୍ରମ କରିବ। ଏଥିସହ ୨୨ଟି ବଡ ସହରରେ ମେଗା ରାଲି ମଧ୍ୟ ହେବ। ଏହି ଯାତ୍ରା ୧୫୦ ଦିନ ଧରି ଚାଲିବ। ଦରଦାମ ବୃଦ୍ଧି, ବେରୋଜଗାରୀକୁ ବିରୋଧ କରି କଂଗ୍ରେସ ପଦଯାତ୍ରା କରୁଛି। ଏହି ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଲୋକଙ୍କ ପାଖକୁ ଯାଇ ସେମାନଙ୍କ ସହ କଥା ବାର୍ତ୍ତା କରୁଛନ୍ତି। ସେମାନଙ୍କ ଭଲ ମନ୍ଦ ପଚାରି ବୁଝୁଛନ୍ତି।
Powered by Froala Editor