ଗେମିଂ ଆପ୍ ଜରିଆରେ ଠକେଇ : ବ୍ୟବସାୟୀଙ୍କ ଘରୁ ମିଳିଲାଣି ୧୭ କୋଟି ଟଙ୍କା, ଏବେବି ଗଣତି ଜାରି
![ଗେମିଂ ଆପ୍ ଜରିଆରେ ଠକେଇ : ବ୍ୟବସାୟୀଙ୍କ ଘରୁ ମିଳିଲାଣି ୧୭ କୋଟି ଟଙ୍କା, ଏବେବି ଗଣତି ଜାରି](https://odishanewslens.com/news_gallery/16165_1662841785.jpg)
ବେଆଇନ ଗେମିଂ ଆପ୍ ଜରିଆରେ ଲୋକଙ୍କୁ ଠକେଇ ଅଭିଯୋଗରେ ଇଡି ରେଡ କରୁଥିବା ବେଳେ ୧୭କୋଟି ନଗଦ ଟଙ୍କା ମଳିଛି। ରେଡ୍ ସମୟରେ କୋଲକାତାର ବ୍ୟବସାୟୀ ଆମୀର ଖାନଙ୍କ ଘରୁ ଏପରି ବିପୁଳ ପରିମାଣର ଟଙ୍କା ମିଳିଛି। ଏବେ ବି ମେସିନ ଦ୍ୱାରା ଟଙ୍କାର ଗଣତି କରାଯାଉଛି। ତେଣୁ ଆଗକୁ ଆହୁରି ନଗଦ ଟଙ୍କା ମିଳିବାର ସମ୍ଭାବନା ରହିଛି। ସେହିପରି ତାଙ୍କ ଘରୁ ଅନେକ ସମ୍ପତ୍ତିର କାଗଜପତ୍ର ମଧ୍ୟ ମିଳିଛି। ଜବତ ଟଙ୍କାକୁ ନେବା ପାଇଁ ଏକାଧିକ ଟ୍ରଙ୍କ ଆମୀରଙ୍କ ଘରେ ପହଞ୍ଚିଲାଣି।
ସୂଚନା ମୁତାବକ, ମୋବାଇଲ୍ ଗେମିଂ ଆପ୍ ଜରିଆରେ ଠକେଇର ଅଭିଯୋଗ ହେବା ପରେ ଏନେଇ ଯାଞ୍ଚ ଆରମ୍ଭ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଯାଞ୍ଚ ସମୟରେ ଇଡି ୬ଟି ସ୍ଥାନରେ ଚଢ଼ଉ କରିଥିବା ବେଳେ ୭କୋଟି ଟଙ୍କା ଜବତ କରିଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଏହା ବଢ଼ି ୧୭କୋଟିରେ ପହଞ୍ଚିଲାଣି। ଏବେ ବି ଗଣନା ଜାଣି ରହିଥିବା ବେଳେ ଏହି ଅଞ୍ଚଳରେ କେନ୍ଦ୍ରୀୟ ବାହିନୀକୁ ନିୟୋଜିତ କରାଯାଇଛି। ଆମୀର ଖାନ ଇ-ନଗେଟସ୍ ନାମକ ଏକ ମୋବାଇଲ୍ ଗେମିଂ ଆପ୍ ବ୍ୟବହାରକାରୀଙ୍କୁ ଠକିଥିବା ନେଇ ଫେଡେରାଲ୍ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଦ୍ବାରା ଅଭିଯୋଗ କରାଯିବା ପରେ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମଏଲଏ) ଅଧୀନରେ ଏକ ମାମଲା ରୁଜୁ ହୋଇଥିଲା।
ଇଡି ଅଧିକାରୀଙ୍କ କହିବାନୁସାରେ, ମୋବାଇଲ୍ ଗେମିଂ ଆପରେ ପ୍ରଥମେ ଲୋକମାନଙ୍କୁ ପୁରସ୍କାର ଆକାରରେ କମିଶନ ଦିଆଯାଇ ପ୍ରଲୋଭିତ କରାଯାଇଥିଲା। ଏହା ପରେ ଲୋକମାନଙ୍କୁ ଏହି ଆପ ପ୍ରତି ଅଧିକ ଆକର୍ଷିତ ହୋଇଥିଲେ। ଟଙ୍କା ମିଳୁଥିବା ଦେଖି ଲୋକମାନେ ଅଧିକ କମିଶନ ପାଇବା ପାଇଁ ବିପୁଳ ପରିମାଣର ଅର୍ଥ ବିନିଯୋଗ କରିବା ଆରମ୍ଭ କରିଥିଲେ। ଏନେଇ ଫେଡରାଲ ବ୍ୟାଙ୍କ ପକ୍ଷରୁ ବ୍ୟବସାୟୀ ଆମୀର ଖାନ ଓ ଅନ୍ୟ କିଛି ଲୋକଙ୍କ ବିରୋଧରେ ଇଡିକୁ ସୂଚନା ଦିଆଯାଇଥିଲା। ଏହି ଅଭିଯୋଗକୁ ଆଧାର କରି ଇଡି ପିଏମଏଲଏ ଅନୁସାରେ ମାମଲା ରୁଜୁ କରିଥିଲା। ସେହି ଅନୁସାରେ ରେଡ୍ କରାଯାଉଛି। ଇଡି ରେଡ୍ କରୁଥିବାରୁ ଆମୀରଙ୍କ ଘର ପାଖରେ କେନ୍ଦ୍ରୀୟ ଫୋର୍ସଙ୍କୁ ମଧ୍ୟ ମୁତୟନ କରାଯାଇଛି।
Powered by Froala Editor