ଇନ୍ଦୋରରେ ଅଭାବନୀୟ ଘଟଣା : ଚାକିରିରୁ ବାହାର କରିଦେଲେ ବୋଲି ବିଷ ପିଇଲେ ୭ କର୍ମଚାରୀ

ମଧ୍ୟପ୍ରଦେଶର ଇଣ୍ଡଷ୍ଟ୍ରିଆଲ ସହର ଇନ୍ଦୋରରେ ଏକ ଅଭାବନୀୟ ଘଟଣା ଘଟିଛି। ଚାକିରିରୁ ବାହାର କରାଯିବା ପରେ ୭ ଜଣ କର୍ମଚାରୀ ବିଷ ପିଇ ଗଣ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ସମସ୍ତ କର୍ମଚାରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଏବେ ବିପଦମୁକ୍ତ ବୋଲି କୁହାଯାଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି, କିନ୍ତୁ ଚିକିତ୍ସାଧୀନ ଥିବାରୁ କର୍ମଚାରୀଙ୍କ ବୟାନ ରେକର୍ଡ ହୋଇ ପାରି ନାହିଁ । ଘଟଣା ପରେ କମ୍ପାନିର ଦୁଇ ମାଲିକ ଫେରାର ହୋଇଯାଇଥିବା ଜଣାପଡିଛି।
ସୂଚନା ଅନୁସାରେ, ଇନ୍ଦୋରର ପରଦେଶୀପୁରା ଥାନା ଅନ୍ତର୍ଗତ ଅଜମେରା ୱାୟର ପ୍ରଡକ୍ଟରେ କାମ କରୁଥିବା ଏହି କର୍ମଚାରୀଙ୍କୁ କାମ ନଥିବା କହି କମ୍ପାନି ଗତ କିଛି ମାସରୁ ଦରମା ଦେଇ ନଥିଲା । ଏହାପରେ ବୁଧବାର ହଠାତ କର୍ମଚାରୀଙ୍କୁ ଚାକିରିରୁ ବାହାର କରି ଦେଇଥିଲା। ରିପୋର୍ଟ ଅନୁସାରେ, ଗୁରୁବାର ସକାଳେ ସାତ ଜଣ କର୍ମଚାରୀ ଫ୍ୟାକ୍ଟ୍ରୀରେ ପହଞ୍ଚି ମାଲିକଙ୍କୁ ଭେଟିବା ପାଇଁ ଜିଦ୍ କରିଥିଲେ । କିନ୍ତୁ ମାଲିକ ଭେଟିବାକୁ ମନା କରିବାରୁ ସମସ୍ତେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ।
Powered by Froala Editor