ଟ୍ୱିଟର ଆଣିବ ‘ଏଡିଟ୍’ ବଟନ, କିନ୍ତୁ ବ୍ଲୁ ଟିକ୍ ପାଇଥିବା ଗ୍ରାହକଙ୍କୁ ମିଳିବ ସୁବିଧା

ଫେସ୍ବୁକ୍ ଓ ଇନ୍ଷ୍ଟଗ୍ରାମ ଭଳି ଟ୍ୱିଟରରେ ଏଡିଟ୍ ସୁବିଧା ନାହିଁ। ପ୍ରଥମ ଟ୍ୱିଟ୍ରେ ଭୁଲ୍ ଥିଲେ ଏହାକୁ ଡିଲିଟ୍ କରି ପୁଣିଥରେ ନୂଆ ଟ୍ୱିଟ୍ କରିବାକୁ ପଡ଼େ। ଏଥିପାଇଁ ଅନେକ ସମୟରେ ଟ୍ୱିଟରରେ ଏଡିଟ୍ ବଟନ ଆଣିବାକୁ ଦାବି ହୋଇ ଆସୁଛି। ୟୁଜରଙ୍କ ଦାବିକୁ ଦେଖି ଟ୍ୱିଟର ଏବେ ଏଡିଟ୍ ବଟନ ଆଣିବାକୁ ଯାଉଛି। ହେଲେ ଏହା କିଛି ନିର୍ଦ୍ଦିଷ୍ଟ ଗ୍ରାହକଙ୍କ ପାଇଁ ହେବ ଓ ଏଥିପାଇଁ ଟଙ୍କା ଦେବାକୁ ପଡ଼ିବ ବୋଲି କୁହାଯାଉଛି।
କମ୍ପାନୀ ସ୍ପଷ୍ଟ କରିଛି ଯେ ଟେଷ୍ଟିଂ ପରେ ପ୍ରାଥମିକ ଅବସ୍ଥାରେ ଏଡିଟ ବଟନର ସୁବିଧା କେବଳ ବ୍ଲୁ ଟିକ ପାଇଥିବା ଗ୍ରାହକଙ୍କୁ ଯୋଗାଇ ଦିଆଯିବ। କମ୍ପାନୀ ଭିତରେ ଆମ ଟିମ ଏଡିଟ ଟ୍ୱିଟର ଟେଷ୍ଟ ଆରମ୍ଭ କରିଛି। ଆଗାମୀ କିଛି ସପ୍ତାହ ମଧ୍ୟରେ କେବଳ ବ୍ଲୁ ଟିକ୍ ସବସ୍କ୍ରାଇବରମାନଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ।
ଯଦି କୌଣସି ଟ୍ୱିଟ ଏଡିଟ ହେବ, ତା’ହେଲେ ଏହାକୁ ସମସ୍ତେ ଦେଖିପାରିବେ ବୋଲି ଟ୍ୱିଟର ଗୋଟିଏ ବ୍ଲଗପୋଷ୍ଟ କରି କହିଛି।
ଏଡିଟ ବଟନ ଆସିଗଲେ ଜଣେ ବ୍ୟବହାରକାରୀ ଯେକୌଣସି ଟ୍ୱିଟରେ ସଂଶୋଧନ କରିପାରିବେ। କମ୍ପାନୀ କହିଛି ଗୋଟିଏ ଟ୍ୱିଟ ପୋଷ୍ଟ ହେବାର ୩୦ ମିନିଟ ମଧ୍ୟରେ ଏହାକୁ ଏଡିଟ କରାଯାଇ ପାରିବ। ଏଡିଟ ହୋଇଥିବା ଟ୍ୱିଟରେ ସ୍ୱତନ୍ତ୍ର ଆଇକନ ରହିବ। ଏହାର ଅର୍ଥ ଏହାକୁ ଏଡିଟ କରାଯାଇଛି ବୋଲି ସମସ୍ତେ ଜାଣିପାରିବେ।
ଆଇନକୁ କ୍ଲିକ କଲେ ଗ୍ରାହକମାନେ ଏଡିଟ ହୋଇଥିବା ଅଂଶକୁ ଦେଖିପାରିବେ। ସୀମିତ ସମୟ ଓ ଏଡିଟ ଅଂଶ ଏଠାରେ ବେଶ ଗୁରୁତ୍ୱପୂର୍ଣ୍ଣ। ଏ ବିଷୟରେ ସମସ୍ତେ ଜାଣିବା ଦରକାର। ତେଣୁ କମ୍ପାନୀ ଏପରି ବ୍ୟବସ୍ଥା କରିଥିବା କହିଛି।
Powered by Froala Editor