୯ ସେକେଣ୍ଡରେ ନିଶ୍ଚିହ୍ନ ହୋଇଗଲା ଟ୍ୱିନ ଟାୱାର, ବିବୃତ୍ତି ରଖିଲେ ସୁପରଟେକ୍ ଚେୟାରମ୍ୟାନ୍
ମାତ୍ର ୯ ସେକେଣ୍ଡରେ ଧୂଳିସାତ୍ ହୋଇଯାଇଛି ୩୦୦ କୋଟି ଟଙ୍କାର ଟ୍ୱିନ୍ ଟାୱାର୍। ସାଇରନ୍ ବାଜିବା ପରେ ବିସ୍ଫୋରଣ କରି ଉଡାଇ ଦିଆଯାଇଛି ନଏଡାର ସେକ୍ଟର ୯୩-ଏ ଅଞ୍ଚଳରେ ତିଆରି ହୋଇଥିବା ଟ୍ୱିନ୍ ଟାୱାର୍। ବିଲ୍ଡିଂକୁ ବିସ୍ଫୋରଣ କରିବା ପୂର୍ବରୁ ଆଖପାଖର ଲୋକଙ୍କୁ ହଟାଇ ଦିଆଯାଇଛି। ସ୍ୱାସ୍ଥ୍ୟଗତ ଜରୁରୀକାଳୀନ ପରିସ୍ଥିତିକୁ ଦୃଷ୍ଟିରେ ରଖି ତିନୋଟି ହସ୍ପିଟାଲକୁ ଆଲର୍ଟ କରାଯାଇଛି।
ଏହି ଟ୍ୱିନ୍ ଟାୱାର୍କୁ ‘ୱାଟରଫଲ୍ ଇମ୍ପ୍ଲୋଜନ’ ଟେକ୍ନିକ୍ ବ୍ୟବହାର କରି ଭଙ୍ଗା ଯାଇଛି। ଆଖପାଖ ଅଞ୍ଚଳର ଲୋକଙ୍କୁ ଖାଲି କରାଯାଇଛି। କେବଳ ଲୋକେ ନୁହନ୍ତି ବୁଲା କୁକୁରମାନଙ୍କୁ ରକ୍ଷା କରିବା ପାଇଁ ମଧ୍ୟ ବଡ ପଦକ୍ଷେପ ନିଆଯାଇଛି। ଅନେକ ଏନଜିଓର କର୍ମକର୍ତ୍ତାମାନେ ଏହି ଅଞ୍ଚଳର କୁକୁରମାନଙ୍କ ଜୀବନ ରକ୍ଷା କରିବା ପାଇଁ ସେମାନଙ୍କୁ ଉଦ୍ଧାର କରି ଅନ୍ୟତ୍ରକୁ ସ୍ଥାନାନ୍ତର କରିଛନ୍ତି।
ତେବେ ଟ୍ୱିନ୍ ଟାୱାରକୁ ଆଜି ଭଙ୍ଗାଯିବା ପରେ ମୁହଁ ଖୋଲିଛନ୍ତି ସୁପରଟେକର ଚେୟାରମ୍ୟାନ୍ ଆର.କେ ଆରୋରା । ବିବୃତ୍ତି ଜାରି କରି ସେ କହିଛନ୍ତି ଯେ, ବିଲଡିଂ ପ୍ଲାନରେ କୌଣସି ଏପଟସେପଟ ହୋଇ ନାହିଁ। ନୋଏଡା କର୍ତ୍ତୃପକ୍ଷଙ୍କୁ ସମସ୍ତ ପ୍ରାପ୍ୟ ଦେବା ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ପରେ ରାଜ୍ୟ ସରକାରଙ୍କ ବିଧିବଦ୍ଧ ନିୟମ ଅନୁଯାୟୀ ଏହି ଟାୱାର ନିର୍ମାଣ ହୋଇଥିଲା ବୋଲି ସେ କହିଛନ୍ତି ।
ତେବେ ବୈଷୟିକ ଦୃଷ୍ଟିରୁ ଟାୱାର ଦୁଇଟିର ନିର୍ମାଣ ସୁପ୍ରିମକୋର୍ଟଙ୍କୁ ଅନୁପଯୁକ୍ତ ଲାଗିଥିଲା। ତେଣୁ ଟାୱାର ଦୁଇଟିକୁ ଭାଙ୍ଗିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଆରୋରା କହିଛନ୍ତି ଯେ, ଆମେ ସର୍ବୋଚ୍ଚ ନ୍ୟାୟାଳୟକୁ ସମ୍ମାନ ଜଣାଉଛୁ ଏବଂ ଅଦାଲତଙ୍କ ନିର୍ଦ୍ଦେଶ ପାଳନ କରୁଛୁ। ସେଥିପାଇଁ ଏହି ଟାୱାର ଭାଙ୍ଗିବା ପାଇଁ ବିଶ୍ୱର ସବୁଠାରୁ ପ୍ରତିଷ୍ଟିତ ଏଜେନ୍ସି Edifice Engineeringକୁ ଦାୟିତ୍ୱ ଦେଇଥିଲୁ।
Powered by Froala Editor