ଚର୍ଚ୍ଚାରେ ଇଟାଲୀୟ ବ୍ୟକ୍ତି : ଏକାଥରକେ ମଙ୍କିପକ୍ସ, କରୋନା ଓ ଏଚଆଇଭିରେ ଆକ୍ରାନ୍ତ
ଜଣେ ୩୬ ବର୍ଷୀୟ ଇଟାଲୀୟ ବ୍ୟକ୍ତି ଏକାଥରରେ ମଙ୍କିପକ୍ସ, କରୋନା ଓ ଏଚଆଇଭିରେ ଆକ୍ରାନ୍ତ ହୋଇ ଏବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ସେ ଏକାଥରକେ ଜ୍ବର, ଥକାପଣ ଓ ଗଳା ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କର ପରୀକ୍ଷା କରାଯାଇଥିଲା। ତା’ପରେ ତାଙ୍କ ଶରୀରରେ ଏକାଥରକେ କରୋନା, ମଙ୍କିପକ୍ସ ଓ ଏଚ୍ଆଇଭି ସଂକ୍ରମଣ ଦେଖିବାକୁ ମିଳିଥିଲା। ଏକାଥରରେ ଏତେଗୁଡ଼ାଏ ରୋଗ ଚିହ୍ନଟ ହେବାରେ ବ୍ୟକ୍ତି ଜଣକ ହେଉଛନ୍ତି ବିଶ୍ବରେ ପ୍ରଥମ।
ଜର୍ଣ୍ଣାଲ ଅଫ ଇନଫେକ୍ସନରେ ପ୍ରକାଶିତ ରିପୋର୍ଟରେ ଗୋପନୀୟତା ଦୃଷ୍ଟିରୁ ସଂକ୍ରମିତଙ୍କ ନାଁ ସାର୍ବଜନୀନ କରାଯାଇନି। ହେଲେ ଏଥିରେ କୁହାଯାଇଛି ଯେ ବ୍ୟକ୍ତି ଜଣଙ୍କ ନିକଟରେ ୫ ଦିନିଆ ସ୍ପେନ ଟୁର୍ରେ ଯାଇଥିଲେ। ସେଠାରୁ ଇଟାଲୀ ଆସିବାର ୯ ଦିନ ପରେ ସେ ଜ୍ୱର, ଗଳା ଦରଜ, ଘୋଳାବିନ୍ଧା, ମୁଣ୍ଡବିନ୍ଧା ଭଳି ସମସ୍ୟାରେ ପଡ଼ିଥିଲେ। ସ୍ପେନରେ ଯୁବକ ଜଣକ ଅନେକ ପୁରୁଷଙ୍କ ସହ ଅସୁରକ୍ଷିତ ଶାରୀରିକ ସଂପର୍କ ରଖିବା ପରେ ଅସୁସ୍ଥ ହୋଇ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ।
ଲକ୍ଷଣ ଦେଖାଯିବାର ୩ ଦିନ ପରେ ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ଏହାର ଚିକିତ୍ସା ଚାଲିଥିବା ବେଳେ ତାଙ୍କ ମୁହଁ ଓ ଶରୀରର ବିଭିନ୍ନ ସ୍ଥାନରେ ଆଲର୍ଜି ଭଳି ଫଳି ଯାଇଥିଲା। ସେହିପରି ତାଙ୍କ ଶରୀରରେ ବଡ଼ବଡ଼ ଫୋଟକା ସବୁ ଦେଖାଯାଇଥିଲା। ସ୍ଥିତି ବିଗିଡ଼ିବାରୁ ସେ ହସ୍ପିଟାଲର ଜରୁରିକାଳୀନ ବିଭାଗକୁ ଯାଇଥିଲେ। ସେଠାରେ ତାଙ୍କର ମଙ୍କିପକ୍ସ ଟେଷ୍ଟ କରାଯାଇଥିଲା। ଏହା ପଜିଟିଭ ଆସିଥିଲା। ଏହାର ଚିକିତ୍ସା ଚାଲିଥିବା ବେଳେ ତାଙ୍କର ଏଚଆଇଭି ପରୀକ୍ଷା ମଧ୍ୟ କରାଯାଇଥିଲା। ଏହି ଟେଷ୍ଟ ରିପୋର୍ଟ ବି ପଜିଟିଭ ଆସିଥିଲା।
ସେ କରୋନାରେ ଆକ୍ରାନ୍ତ ହୋଇଥିବାରୁ ତାଙ୍କ ନମୁନାର ଜେନୋମ ସିକ୍ୱେନ୍ସିଂ କରାଯାଇଥିଲା। ଏଥିରୁ ଜଣାପଡ଼ିଛି ଯେ ବ୍ୟକ୍ତି ଜଣଙ୍କ ଓମିକ୍ରନର ସବ ଭ୍ୟାରିଏଣ୍ଟ BA.5.1 ଦ୍ୱାରା ସଂକ୍ରମିତ ହୋଇଛନ୍ତି। ବ୍ୟକ୍ତି ଜଣଙ୍କ ଫାଇଜର ଟିକାର ଦୁଇଟି ଯାକ ଡୋଜ୍ ନେଇଥିଲେ।
Powered by Froala Editor