ପୁଣି ଅସୁସ୍ଥ ପଦ୍ମଶ୍ରୀ କମଳା ପୂଜାରୀ: ଝାଡାବାନ୍ତି ସହ ଜ୍ୱର ଛାଡୁନି
ମାସକ ତଳେ କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ସୁସ୍ଥ ହୋଇଫେରିଥିବା ପଦ୍ମଶ୍ରୀ କମଳା ପୂଜାରୀ ପୁଣି ଅସୁସ୍ଥ ହୋଇପଡିଛନ୍ତି । ତାଙ୍କୁ ଏବେ ଜ୍ୱର ସହ ଝାଡାବାନ୍ତି ହେଉଛି। ପୁଣି ଥରେ ଅସୁସ୍ଥ ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସୂଚନା ମୁତାବକ, ଗତ ଦୁଇ ଦିନ ହେବ ତାଙ୍କୁ ଥଣ୍ଡା ଜ୍ବର ହୋଇଥିଲା। ଔଷଧ ଖାଇବା ପରେ ମଧ୍ୟ ଏହା ଛାଡ଼ି ନଥିଲା। ଗତକାଲି ଠାରୁ ୩ରୁ ଅଧିକ ଥର ଝାଡ଼ା ହୋଇଥିଲା। ଔଷଧ ଖାଇବା ପରେ ବି ତାଙ୍କ ସ୍ବାସ୍ଥ୍ୟବସ୍ଥାରେ କିଛି ସୁଧାର ଆସି ନଥିଲା। ସେ ରହୁଥିବା ଜୟପୁର ବ୍ଲକର ପାତ୍ରପୁଟ ମହିଳା ସ୍ବାସ୍ଥ୍ୟ କର୍ମୀ ଜଣକ ତାଙ୍କୁ ଆମ୍ବୁଲାନସ୍ ଯୋଗେ ଜୟପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି। ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ କ୍ୟାବିନରେ ରଖି ତାଙ୍କ ଚିକିତ୍ସା ଆରମ୍ଭ କରାଯାଇଛି।
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କୁ ଚିକିତ୍ସା କରୁଛନ୍ତି। ଏହାପରେ ବି ଯଦି କମଳାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୁଏ, ତେବେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯିବ ବୋଲି କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଦେହ ଖରାପ ଥିବାରୁ ସେ କିଛିଦିନ ହେବ ଖାଇ ନାହାନ୍ତି। ତେବେ କଥାବାର୍ତ୍ତା କରୁଛନ୍ତି। ପରିବାର ଲୋକେ ତାଙ୍କ ନିକଟରେ ଉପସ୍ଥିତ ରହିଛନ୍ତି।
Powered by Froala Editor