ଦିଲ୍ଲୀ ଶିକ୍ଷା ବ୍ୟବସ୍ଥାକୁ NYTର ପ୍ରଶଂସା ପ୍ରସଙ୍ଗ : ବିଜେପି କହିଲା ପେଡ୍ ନ୍ୟୁଜ୍, ଜବାବ ରଖିଲା NYT
ଆମେରିକାର ଅନ୍ୟତମ ଅଗ୍ରଣୀ ଖବରକାଗଜ ନ୍ୟୁୟର୍କ ଟାଇମ୍ସର ପ୍ରଥମ ପୃଷ୍ଠାରେ ଦିଲ୍ଲୀ ସରକାରଙ୍କ ସ୍କୁଲ ବ୍ୟବସ୍ଥାକୁ ପ୍ରଶଂସା କରି ରିପୋର୍ଟ ପ୍ରକାଶ ପାଇଛି। ଯାହାକୁ ନେଇ ଲୋକମାନଙ୍କ ସହିତ ଖୁସି ଶେୟାର୍ କରିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍। ଏହି ଖବର ପ୍ରକାଶ ପାଇବାର ଦିନକରେ ଆଜି ଦିଲ୍ଲୀ ଶିକ୍ଷା ତଥା ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ସିବିଆଇ ରେଡ୍ କରିଛି।
ଦିଲ୍ଲୀରେ ଲାଗୁ ହୋଇ ପରେ ରଦ୍ଦ ହୋଇଥିବା ନୂଆ ଅବକାରୀ ନୀତିରେ ଅନିୟମିତତା ଅଭିଯୋଗ କରି ସିବିଆଇ ଏପରି ରେଡ୍ କରିଛି। ଏହାକୁ ନେଇ ଦିଲ୍ଲୀର କ୍ଷମତାସୀନ ଆପ୍ ଓ କେନ୍ଦ୍ରରେ ଶାସନ କରୁଥିବା ବିଜେପି ମୁହାଁମୁହିଁ ହୋଇଛନ୍ତି।
ନ୍ୟୁୟର୍କ ଟାଇମ୍ସରେ ଦିଲ୍ଲୀ ମଡେଲକୁ ପ୍ରଶଂସା କରାଯାଇଥିବାରୁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ସିସୋଦିଆଙ୍କୁ ବଦନାମ କରିବା ପାଇଁ ସିବିଆଇ ପଠାଇଥିବା ଆପ୍ ଅଭିଯୋଗ କରିଛି। ହେଲେ ବିଜେପି ଏହାକୁ କାଉଣ୍ଟର କରି ନ୍ୟୁର୍କ ଟାଇମ୍ସରେ ପ୍ରକାଶିତ ଖବରକୁ ପେଡ୍ ନ୍ୟୁଜ ବା ଦିଲ୍ଲୀ ସରକାର ଟଙ୍କା ଦେଇ ନିଜର ପ୍ରଶଂସା କରାଇଛନ୍ତି ବୋଲି ଅଭିଯୋଗ କରିଛି।
ବିଜେପି ଅଭିଯୋଗକୁ ଖଣ୍ଡନ କରି ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେକୁ ପ୍ରତିକ୍ରିୟା ଦେଇ NYT କହିଛି “ ଦିଲ୍ଲୀ ଶିକ୍ଷା ବ୍ୟବସ୍ଥା ଉପରେ ଆମର ରିପୋର୍ଟ ସମ୍ପୂର୍ଣ୍ଣ ନିରପେକ୍ଷ। ଗ୍ରାଉଣ୍ଡ ରିପୋର୍ଟିଂରେ ଏହି ଷ୍ଟୋରି କରାଯାଇଛି। ଶିକ୍ଷା ବ୍ୟବସ୍ଥା ଏମିତି ଏକ ପ୍ରସଙ୍ଗ ଯାହାକୁ NYT ବର୍ଷ ବର୍ଷ ଧରି ଗୁରୁତ୍ୱ ଦେଇଆସିଛି। ନ୍ୟୁୟର୍କ ଟାଇମ୍ସର ସାମ୍ବାଦିକତା ସବୁବେଳେ ନିରପେକ୍ଷ। ”
Powered by Froala Editor