ରାଜକୋଷ ଉପରେ ୧୭ କୋଟି ୪୩ ଲକ୍ଷ ଟଙ୍କାର ଅତିରିକ୍ତ ବୋଝ, କିପରି ଜାଣନ୍ତୁ
ଭୁବନେଶ୍ୱର: ସିଏଜି ରିପୋର୍ଟକୁ ନେଇ ପ୍ରିନ୍ସପାଲ ଏଜି ବିଭୁଦତ୍ତ ବସନ୍ତିଆ ନିଜ ପ୍ରତିକ୍ରିୟା ରଖିଛନ୍ତି । ୨୦୧୮-୧୯ ଆର୍ଥିକ ବର୍ଷର ବିଭିନ୍ନ ଅନିୟମିତତା ନେଇ ପ୍ରିନ୍ସପାଲ ଏଜି ବିଭୁଦତ୍ତ ବସନ୍ତିଆ ସୂଚନା ଦେଇଛନ୍ତି ।
ତାଙ୍କ ସୂଚନା ଅନୁଯାୟୀ ସମବାୟ ବ୍ୟାଙ୍କ କୃଷି ଋଣରେ ବ୍ୟାପକ ଅନିୟମିତତା ହୋଇଛି । ପୁରୁଣା ଋଣ ପରିଶୋଧ ପାଇଁ ଚାଷୀଙ୍କୁ ନୂଆ ଋଣ ଦିଆଯାଇଥିଲା । ଏହା ବିଜ୍ଞ ଉପାୟ ନଥିଲା । ଚାଷୀ ଚିରସ୍ଥାୟୀ ଋଣୀ ହେବା ଆଶଙ୍କା ରହିଛି । ସେହିପରି କିଷାନ କ୍ରେଡିଟ କାର୍ଡକୁ ନେଇ ପ୍ରିନ୍ସପାଲ ଏଜି ବିଭୁଦତ୍ତ ବସନ୍ତିଆ ସଙ୍ଗୀନ ତଥ୍ୟ ରଖିଛନ୍ତି । ଚାଷୀଙ୍କ ନପଚାରି କିଷାନ କ୍ରେଡିଟ କାର୍ଡ ତିଆରି ହୋଇଥିଲା । ପରବର୍ତ୍ତୀ ସମୟରେ ତାହା ବଣ୍ଟା ନହେବାରୁ ଏକ୍ସପାଏରୀ ହୋଇଥିଲା । କାର୍ଡ ଏକ୍ସପାଏରୀ ଯୋଗୁଁ ରାଜକୋଷ ଉପରେ ଅତିରିକ୍ତ ବୋଝ ପଡ଼ିଛି । ରାଜକୋଷ ଉପରେ ୧୭ କୋଟି ୪୩ ଲକ୍ଷ ଟଙ୍କାର ଅତିରିକ୍ତ ବୋଝ ପଡ଼ିଛି ବୋଲି ପ୍ରିନ୍ସପାଲ ଏଜି ବିଭୁଦତ୍ତ ବସନ୍ତିଆ ସୂଚନା ଦେଇଛନ୍ତି ।
ସେହିପରି ବିଜୁ ଗାଁ ଗାଡ଼ି ଯୋଜନା ଲକ୍ଷ୍ୟ ପୂରଣରେ ମଧ୍ୟ ସରକାର ବିଫଳ ହୋଇଛନ୍ତି । ସମନ୍ୱୟର ଅଭାବ, ଯାତ୍ରୀ ସଂଖ୍ୟା ବିଚାରକୁ ନନେବାରୁ ଏହି ଯୋଜନା ବିଫଳ ହୋଇଛି । ନକ୍ସଲ ପ୍ରଭାବିତ ଅଞ୍ଚଳରେ ସବୁ ଚିହ୍ନଟ ରୁଟରେ ଗାଡ଼ି ଚଳାଚଳ କରିପାରିନି । ପରମିଟ ଫି’ ବାବଦରେ ୬୭ ଲକ୍ଷ ୬୧ ହଜାର ଟଙ୍କା ଟିକସ ଛାଡ଼ ହୋଇଛି । ଓପିଟିସିଏଲ ଦ୍ୱାରା ଟ୍ରାନ୍ସଫର୍ମର କିଣାରେ ବି ଅନିୟମିତତା ହୋଇଛି । ଟ୍ରାନ୍ସପର୍ମର କିଣାରେ ୧୭୩.୯୫ କୋଟିର ଅନିୟମିତତା ହୋଇଛି । ସେହିପରି ଇଡକୋର କାର୍ଯ୍ୟ ଦକ୍ଷତାକୁ ନେଇ ମଧ୍ୟ ସିଏଜି ରିପୋର୍ଟରେ ପ୍ରଶ୍ନ ଉଠିଛି । ୧ ଲକ୍ଷ ଏକରର ଲ୍ୟାଣ୍ଡ ବ୍ୟାଙ୍କ ଲକ୍ଷ୍ୟ ଇଡକୋ ପୂରଣ କରିପାରିନାହିଁ ବୋଲି ପ୍ରିନ୍ସପାଲ ଏଜି ବିଭୁଦତ୍ତ ବସନ୍ତିଆ ସୂଚନା ଦେଇଛନ୍ତି ।