୧୦ ବର୍ଷ ପରେ ପୁଣି ଫେରିଲା ମାରାତ୍ମକ ପୋଲିଓ
![୧୦ ବର୍ଷ ପରେ ପୁଣି ଫେରିଲା ମାରାତ୍ମକ ପୋଲିଓ](https://odishanewslens.com/news_gallery/14964_1658512365.jpg)
ପ୍ରାୟ ୧୦ ବର୍ଷ ପରେ ଆମେରିକାରେ ପ୍ରଥମ ପୋଲିଓ ମାମଲା ସାମ୍ନାକୁ ଆସିଛି । ନ୍ୟୁୟର୍କର ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ରକଲ୍ୟାଣ୍ଡ କାଉଣ୍ଟରେ ରହୁଥିବା ଜଣଙ୍କ ଶରୀରରୁ ଏହି ଭାଇରସ ଠାବ ହୋଇଛି। ଶେଷଥର ପାଇଁ ୨୦୧୩ ଶେଷ ଭାଗରେ ଆମେରିକାରେ ପୋଲିଓ ରୋଗୀ ଚିହ୍ନଟ ହୋଇଥିଲେ। ଏହାପରେ ଆଉ କେହି ବି ଏହି ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇ ନଥିଲେ। ହେଲେ ଏବେ ପୁଣି ଭାଇରସ ସାମ୍ନାକୁ ଆସିବା ସମସ୍ତଙ୍କ ଚିନ୍ତା ବଢ଼ାଇଛି।
ନ୍ୟୁୟର୍କର ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ କହିବା ଅନୁସାରେ, ଏହି ନୂଆ ମାମଲା ଅନ୍ୟ ଜଣେ ବ୍ୟକ୍ତିଙ୍କ ଦ୍ବାରା ସଂକ୍ରମିତ ହୋଇଛି । ଯିଏକି ପାଟିରେ ପୋଲିଓ ଟିକା ନେଇଥିବେ । ୨୦୦୦ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାରେ ଓପିଭି ବନ୍ଦ କରିଦିଆଯାଇଥିଲା । ହେଲେ ଓରାଲ ଟିକା ପ୍ରଚଳିତ ଥିବା ଦେଶର କୌଣସି ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ଏବେ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଭାଇରସ୍ର ନୂଆ ଷ୍ଟ୍ରେନ୍ ଓପିଭି ଦ୍ବାରା ନିୟନ୍ତ୍ରଣ ହୋଇପାରିବ ନାହିଁ । ଏମିତିରେ ଅଧିକାରୀମାନେ ସ୍ବାସ୍ଥ୍ୟକର୍ମୀଙ୍କୁ ସଚେତନ କରାଇଛନ୍ତି ଯେ, ସେମାନେ ଅନ୍ୟ ମାମଲା ଚିହ୍ନଟ କରିବା ଦିଗରେ କାମ କରନ୍ତୁ । ଏହାସହ ଅଞ୍ଚଳରେ ଯେଉଁମାନେ ଏପର୍ଯ୍ୟନ୍ତ ପୋଲିଓ ଟିକା ନେଇନାହାନ୍ତି ସେମାନଙ୍କୁ ଟିକା ନେବାକୁ ଅପିଲ୍ କରାଯାଇଛି ।
ସୂଚନାଯୋଗ୍ୟ ଯେ, ପୋଲିଓ ଭାଇରସ୍ ଘାତକ ଓ ପଙ୍ଗୁ କରି ଦେଉଥିବା ଭାଇରସ। ବିଶେଷ କରି ଏହା ୫ ବର୍ଷରୁ କମ ବୟସ୍କଙ୍କ ପାଇଁ ଅଧିକ ଘାତକ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି। ପୋଲିଓର ମାମଲା ୧୯୮୮ ମସିହାରୁ ଏପର୍ଯ୍ୟନ୍ତ ପ୍ରାୟ ୯୯ ପ୍ରତିଶତ କମ୍ ହୋଇଯାଇଛି ।
Powered by Froala Editor