ଶ୍ରୀଲଙ୍କାରେ ପୁଣି ଜରୁରୀ ପରିସ୍ଥିତି ଲାଗୁ
କଲମ୍ବୋ: ଅଶାନ୍ତ ରହିଛି ଶ୍ରୀଲଙ୍କା । ଆର୍ଥିକ ସଙ୍କଟ ଉଗ୍ର ରୂପ ନେଇଛି । ଜନତାଙ୍କ ଆକ୍ରୋଶ ଥମିବାରେ ନାଁ ନେଉନାହିଁ । ଚାରିଆଡେ ହିଂସାତ୍ମକ ଆନ୍ଦୋଳନ ଚାଲିଛି । ଏହାରି ଭିତରେ ପୁଣି ଦେଶରେ ଜରୁରୀ ପରିସ୍ଥିତି ଲାଗୁ ହୋଇଛି । କାମଚଳା ରାଷ୍ଟ୍ରପତି ରାନିଲ୍ ୱିକ୍ରମସିଂଘେ ପୁଣି ଥରେ ଶ୍ରୀଲଙ୍କାରେ ଜରୁରୀ ପରିସ୍ଥିତି ଲାଗୁ କରିଛନ୍ତି ।
ପରିସ୍ଥିତି ଅଣାୟତ୍ତ ରହିଥିବାର ଦେଖି ଏହାକୁ ନିୟନ୍ତ୍ରଣକୁ ଆଣିବାକୁ ପୁଣି ଥରେ ଦେଶରେ ଜାରି ହୋଇଛି ଜରୁରୀ ପରିସ୍ଥିତି । ପୁନର୍ବାର ଅଶାନ୍ତ ଦେଶରେ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଛି । ଶ୍ରୀଲଙ୍କାର ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇସାରିଛନ୍ତି ଗୋଟାବାୟା ରାଜପକ୍ଷେ । ସେ ଶ୍ରୀଲଙ୍କା ଛାଡ଼ି ମାଳଦ୍ୱୀପ ପଳାୟନ କରିଥିଲେ । ଏହାପରେ ସେଠାରୁ ସିଙ୍ଗାପୁର ଗସ୍ତ କରିଥିଲେ । ସିଙ୍ଗାପୁରରେ ପହଞ୍ଚିବା ପରେ ସେ ବିଧିବଦ୍ଧ ଭାବରେ ନିଜ ଇସ୍ତଫାପତ୍ର ବାଚସ୍ପତିଙ୍କ ନିକଟକୁ ପଠାଇଥିଲେ । ଦେଶରେ ରାଜନୈତିକ ସଙ୍କଟ ଦେଖାଦେବା ପରେ ଲଗାତରା ଗୋଟାବାୟାଙ୍କ ଇସ୍ତଫା ଦାବି କରି ଆସୁଥିଲେ ଆନ୍ଦୋଳନକାରୀ । ତୀବ୍ର ଆନ୍ଦୋଳନ କରି ରାଷ୍ଟ୍ରପତିଙ୍କ ବାସଭବନକୁ କବ୍ଜା କରିଥିଲେ ପ୍ରଦର୍ଶନକାରୀ । ଗୋଟାବାୟାଙ୍କ ଦୁର୍ନୀତି ଓ ଭୁଲ ନୀତି ଯୋଗୁଁ ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଦେଖା ଦେଇଥିବା ଅଭିଯୋଗ କରିଥିଲେ ଆନ୍ଦୋଳନକାରୀ ।
ସେପଟେ ଦେଶ ଛାଡ଼ିବା ପୂର୍ବରୁ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମାସିଂଘେଙ୍କୁ କାମଚଳା ରାଷ୍ଟ୍ରପତି ଭାବରେ ଘୋଷଣା କରିଥିଲେ ଗୋଟାବାୟା । ଏହାପରେ ରାନିଲ ଆନ୍ଦୋଳନକୁ ନିୟନ୍ତ୍ରଣ କରିବାକୁ ସେନାକୁ ଯେକୌଣସି ନିଷ୍ପତ୍ତି ନେବାକୁ ପୂର୍ଣ୍ଣ ସ୍ବାଧୀନତା ପାଇଥିଲା । ଆର୍ଥିକ ଓ ରାଜନୈତିକ ସଂଙ୍କଟ ପାଇଁ ଲୋକଙ୍କ ସ୍ଥିତି ବେହାଲ ହୋଇପଡିଛି । ସାଙ୍ଘାତିକ ଦରଦାମ ବୃଦ୍ଧିରେ ଘାଣ୍ଟି ହେଉଛନ୍ତି ଲୋକ । ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦର ବଢିବାରେ ଲାଗିଛି । ଦୁଇମୁଠା ଖାଇବା ବି ମୁସ୍କିଲ ହୋଇଛି । ସ୍ଥିତି ବେଳକୁ ବେଳ ସଙ୍ଗୀନ ହେଉଛି ।
Powered by Froala Editor