ଦେଶରେ ୨୦,୦୪୪ ନୂଆ ସଂକ୍ରମିତ ଚିହ୍ନଟ
ନୂଆଦିଲ୍ଲୀ: ପୁଣି ଟେନସନ ଦେଉଛି କୋରୋନା । କ୍ରମାଗତ ତିନି ଦିନ ହେଲା ୨୦ ହଜାରରୁ ଅଧିକ ଦୈନିକ ସଂକ୍ରମଣ ରେକର୍ଡ ହେଉଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମୋଟ୍ ୨୦,୦୪୪ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ବଢିବା ସହ ମୃତ୍ୟୁସଂଖ୍ୟା ମଧ୍ୟ କ୍ରମଶଃ ବୃଦ୍ଧି ପାଉଛି । ୨୪ ଘଣ୍ଟାରେ ଦେଶରେ ୫୬ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୮,୩୦୧ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ବର୍ତ୍ତମାନ ଭାରତରେ ସକ୍ରିୟ ମାମଲା ଲକ୍ଷେ ପାର୍ କରିଛି । ଆଜିର ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧,୪୦,୭୬୦କୁ ବୃଦ୍ଧି ପାଇଛି । ଦେଶର ଦୈନିକ ପଜିଟିଭ ରେଟ୍ ୪.୮୦%ରେ ପହଞ୍ଚିଛି । ଏଯାବତ୍ ୪,୩୦,୬୩,୬୫୧ ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି ଓ ସମୁଦାୟ ୫,୨୫,୬୬୦ ଜଣଙ୍କ ମୃତ୍ୟୁ ଘଟିଛି । ଦେଶବ୍ୟାପୀ ସମୁଦାୟ ୧୯୯ କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ କେବଳ ୨୨,୯୩,୬୨୭ ଜଣଙ୍କୁ ଟିକା ଦିଆଯାଇଛି । ତେବେ କ୍ରମଶଃ ସଂକ୍ରମଣ ବଢିବା ସହ ଏବେ ବିଭିନ୍ନ ରାଜ୍ୟରେ କୋଭିଡ କଟକଣା ପୁଣି କଡାକଡି ହୋଇଛି ।
Powered by Froala Editor