ପୁଣି ଫିଜିକ୍ସ ପେପର ପ୍ରଶ୍ନପତ୍ର ଲିକ୍, ପରୀକ୍ଷା ବାତିଲ

ସମ୍ବଲପୁର: ଆଜି ପୁଣି ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍ ହୋଇଛି । ଗତକାଲି ଆର୍ଟସ ଷ୍ଟ୍ରିମ୍ର ଏଜୁକେସନ ପେପର ଲିକ୍ ହୋଇଥିବା ବେଳେ ଆଜି ବିଜ୍ଞାନର ଫିଜିକ୍ସ ପେପର ମୋବାଇଲରୁ ମୋବାଇଲ ଘୂରି ବୁଲିଛି । ଲିକ୍ ହୋଇଥିବା ପ୍ରଶ୍ନପତ୍ର ହିଁ ଅରିଜିନାଲ ବୋଲି ସ୍ୱୀକାର କରିଛନ୍ତି ପରୀକ୍ଷା ନିୟନ୍ତ୍ରକ । ଏଥିସହ ଆଜି ହେବାକୁ ଥିବା ଫିଜିକ୍ସ ପରୀକ୍ଷାକୁ ବାତିଲ କରି ଦିଆଯାଇଛି । ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁ ପ୍ରଶ୍ନପତ୍ର ଲିକ୍ ହୋଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାରକୁ ଠେଲି ହୋଇଯାଉଥିବା ଅଭିଯୋଗ କରିଛନ୍ତି ବୁଦ୍ଧିଜୀବୀ ।
ଆଜି ପୂର୍ବାହ୍ନ ୧୦ଟା ବେଳେ ଯୁକ୍ତ ୩ ଶେଷ ବର୍ଷ ଫିଜିକ୍ସ ପେପର-୨ ପରୀକ୍ଷା ହେବାର ଥିଲା । ମାତ୍ର ଏହା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ହୋଇ ମୋବାଇଲ୍ରୁ ମୋବାଇଲ୍ ଘୂରି ବୁଲୁଥିଲା । ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ଦିନ ୧୦ଟାରେ ପରୀକ୍ଷା ନିମନ୍ତେ ପ୍ରଶ୍ନପତ୍ର ସେଟ୍କୁ ଖୋଲା ଯାଇଥିଲା । ତାହାକୁ ଭାଇରାଲ ପ୍ରଶ୍ନପତ୍ର ସହ ମେଳ କରାଯିବାରୁ ତାହା ପୂରାପୂରି ସମାନ ବୋଲି ଜଣାଯାଇଛି । ତେଣୁ ତୁରନ୍ତ ପରୀକ୍ଷାକୁ ବାତିଲ କରି ଦିଆଯାଇଛି ।
Powered by Froala Editor