କ୍ରୀଡ଼ା ଶିକ୍ଷୟିତ୍ରୀ ତନୁଜା ବିଶ୍ୱାସଙ୍କ ଆତ୍ମହତ୍ୟା
ଉମରକୋଟ: ‘ମୁଁ ଆଜି ମରିବା ପାଇଁ ଯାଉଛି। ହୁଏତ ମୁଁ ଏପର୍ଯ୍ୟନ୍ତ ମରି ହିଁ ଯାଇଛି। ମୁଁ ସମସ୍ତଙ୍କୁ କଷ୍ଟ ଦେଇଛି। ମୋତେ କ୍ଷମା କରିଦେବ । ମୋ ମରିବା ପଛରେ କାହାରି ହାତ ନାହିଁ। ମୋର ବଞ୍ଚିବା ପାଇଁ ଇଚ୍ଛା ନାହିଁ । ମୁଁ କେବଳ ଏହି ଦୁନିଆ ଛାଡ଼ି ଚାଲିଯିବା ପାଇଁ ଚାହେଁ। ଦୟାକରି କିଛି ଖୋଳତାଡ଼ କରନାହିଁ।’ ସୋସିଆଲ ମିଡ଼ିଆର ପରିଚିତ ମୁହଁ ଓ ଟିକଟକ ଷ୍ଟାର ସାଜିଥିବା କ୍ରୀଡ଼ା ଶିକ୍ଷୟତ୍ରୀ କରିଛନ୍ତି ଆତ୍ମହତ୍ୟା । ନବରଙ୍ଗପୁର ଜିଲ୍ଲା ଉମରକୋଟ ହଟାତ କଲୋନୀରେ ରହୁଥିବା ଜଣେ ୨୬ ବର୍ଷୀୟା କ୍ରୀଡ଼ା ଶିକ୍ଷୟିତ୍ରୀ ତନୁଜା ବିଶ୍ୱାସ ଆତ୍ମହତ୍ୟା କରିଥିବା ବେଳେ ଛାଡ଼ି ଯାଇଛନ୍ତି ଏପରି ସୁଇସାଇଡାଲ ନୋଟ ।
ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ସୁଇସାଇଡାଲ ନୋଟ ସହ ତାଙ୍କ ମୋବାଇଲ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ନିଜ ହାତଲେଖା ନୋଟରେ ଶିକ୍ଷୟିତ୍ରୀଜଣକ ଘଟଣାର ଖୋଳତାଡ଼ ନ କରିବାକୁ ୨ ଥର ଲେଖିଥିବାରୁ ଏହି ପଛର କାରଣ କ’ଣ ତାହା ଏବେ ରହସ୍ୟ ଘେରରେ ରହିଛି।
ସ୍ଥାନୀୟ ଜାମରୁଣ୍ଡା ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟରେ ଗତ ୩ ବର୍ଷ ହେବ କ୍ରୀଡ଼ା ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିଲେ ତନୁଜା । ଗତ ଶୁକ୍ରବାର ସକାଳେ ଘରେ ତନୁଜା ଓ ତାଙ୍କ ମା’ ଥିବା ବେଳେ ତାଙ୍କ ବାପା ବାହାରକୁ ଯାଇଥିଲେ। କିଛି ସମୟ ପରେ ସେ ଘରକୁ ଫେରି ଦେଖିବା ବେଳକୁ ତନୁଜାଙ୍କ ମୃତଦେହ ଘର ଭିତରେ ଓଢ଼ଣୀରେ ଝୁଲି ରହିଥିଲା । ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଥିଲା। ଏହାପରେ ଗତକାଲି ପୈତୃକ ଗାଁରେ ତାଙ୍କ ମୃତଦେହ ସତ୍କାର କରାଯାଇଛି। । ନିଜ ସୁଇସାଇଡ୍ ନୋଟରେ ତନୁଜା କାହାକୁ ଆତ୍ମହତ୍ୟା ପାଇଁ କାହାକୁ ଦାୟୀ କରି ନ ଥିବା କହିଛି ପୁଲିସ୍।
ଏପରିକି ସେ ନିଜ ନୋଟରେ ଲେଖିଛନ୍ତି, ‘ତୁମେମାନେ ସମସ୍ତେ ଭଲରେ ରୁହ, ମିଳିମିଶି ରୁହ । ମୋର ଏତିକି ହିଁ ସ୍ୱପ୍ନ । ବହୁ ଦିନ ଧରି ମା’ର ଯତ୍ନ ନେଇପାରିଲିନି। ବାପାଙ୍କୁ ବି ଖୁସିରେ ରଖି ପାରିଲିନି। ଏବେ ବି ଯାଉଛି ଶେଷ କଷ୍ଟ ଦେଇ । ଶେଷ ଥର ପାଇଁ କ୍ଷମା କରିଦିଅ ବାପା । ଛୋଟ ବେଳୁ ଏ ପର୍ଯ୍ୟନ୍ତ ତୁମକୁ କଷ୍ଟ ହିଁ ଦେଇଛି। ସମସ୍ତେ ଭଲ ରୁହ ଆଉ ପ୍ଲିଜ କିଛି ଖୋଳତାଡ଼ କରନାହିଁ। ନହେଲେ ମୋ’ ଆତ୍ମା ଶାନ୍ତି ପାଇବନି । ମୋତେ ଭଲରେ ଯିବା ପାଇଁ ଦିଅ, ଆଉ ମୋତେ ଭୁଲି ଯାଅ । ସରି ବାବା, ମା’, ଦିଦି, ଭାଇ । ସାରା ଜୀବନ ଏକାସାଙ୍ଗରେ ରୁହ । ଏହା ହିଁ ମୋ ସ୍ୱପ୍ନ।’
ହେଲେ ତନୁଜାଙ୍କ ପରି ଜଣେ ଦୃଢାମନା ଯୁବତୀଙ୍କ ମୃତ୍ୟୁକୁ ପରିବାର ଲୋକେ ତଥା ସାହିପଡ଼ିଶା ଓ ସ୍କୁଲ ଛାତ୍ରଛାତ୍ରୀ ସହଜେ ଗ୍ରହଣ କରିପାରୁ ନାହାନ୍ତି। ତନୁଜା ଜାମରୁଣ୍ଡା ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ ମଧ୍ୟ ସେ ଜିଲ୍ଲାର ବିଭିନ୍ନ ସ୍କୁଲ ବୁଲି ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳ ଶିଖାଉଥିଲେ। ଖେଳକୁଦ କରି ସୁସ୍ଥ ରହିବାକୁ ପିଲାମାନଙ୍କୁ ପରାମର୍ଶ ଦେଉଥିଲେ । ଟିକ୍ ଟକ୍ ଭିଡିଓ କରି ସୋଶାଲ ମିଡିଆରେ ଶେଆର କରୁଥିଲେ । ଏପରି ଜଣେ ସକରାତ୍ମକ ମନୋଭାବର ଝିଅ କ’ଣ ପାଇଁ ହଠାତ୍ ଏପରି ଚରମ ପଦକ୍ଷେପ ଗ୍ରହଣ କଲେ ତାହାର କାରଣ କେହି ଖୋଜି ପାଉ ନାହାନ୍ତି।
Powered by Froala Editor