କୁମ୍ବିଂବେଳେ ଧରାପଡ଼ିଲା କୁଖ୍ୟାତ ମାଓବାଦୀ ଲକ୍ଷ୍ମଣ ପଡିଆମି
ମାଲକାନଗିରି ପୁଲିସକୁ ବଡ ସଫଳତା ମିଳିଛି। କୁଖ୍ୟାତ ମାଓବାଦୀ ଲକ୍ଷ୍ମଣ ପଡିଆମିକୁ ଗିରଫ କରିବାରେ ସଫଳତା ହାସଲ କରିଛି ପୁଲିସ। ଗତକାଲି ମାଥିଲି ଥାନା ଅଞ୍ଚଳ ତୁଳସୀ ପାହାଡରେ ଏସଓଜି ଓ ଡିଭିଏଫ ବାହିନୀ ତରଫରୁ କୁମ୍ବିଂ ଅପରେସନ ଚାଲିଥିବା ବେଳେ ଯବାନଙ୍କ ହାତରେ ସେ ଧରା ପଡ଼ିଛି। ଲକ୍ଷ୍ମଣଙ୍କୁ ଧରିବାରେ ସହାୟତା କରିବା ବ୍ୟକ୍ତିଙ୍କୁ ଓଡ଼ିଶା ସରକାର ଲକ୍ଷେ ଟଙ୍କାର ପୁରସ୍କାର ରାଶି ଦେବେ ବୋଲି ଘୋଷଣା କରିଥିଲେ।
ଖବର ପାଇ ମାଲକାନଗିରି ଏସପି ନୀତିଶ ଵାଧବାନୀଙ୍କ ନିର୍ଦେଶକ୍ରମେ ଏସଓଜି ଏବଂ ଡିଭିଏଫ ଯବାନ ମାଥିଲି ବ୍ଲକର ତୁଳସୀ ପାହାଡ ଅଂଚଳରେ କମ୍ବିଂ କରିବାକୁ ବାହାରିଥିଲେ। ସେଠାରେ ମାଓବାଦୀମାନେ କ୍ୟାମ୍ପ କରି ରହିଥିବା ସୂଚନା ମିଳିଥିଲା। ଜଂଗଲରେ ଜଣେ ବ୍ୟକ୍ତି ବନ୍ଧୁକ ଧରି ଏପଟ ସେପଟ ହେଉଥିବା ଯବାନ ଦେଖିବାକୁ ପାଇଥିଲେ। ତେବେ ଯବାନ ତୁରନ୍ତ ଜଂଗଲକୁ ଘେରି ଏହି ବ୍ୟକ୍ତିଙ୍କୁ ଗିରଫ କରି ପଚରାଉଚରା କରିଥିଲେ। ପଚରାଉଚରା ପରେ ସେ କାଙ୍ଗେର ଘାଟି ଏରିଆ କମିଟିର ପାର୍ଟିମେମ୍ବର ବୋଲି ଜଣାପଡିଥିଲା।
ଲକ୍ଷ୍ମଣଙ୍କ ନାମରେ ମାଲକାନଗିରି ଓ ଛତିଶଗଡ ସୁକୁମା ଜିଲ୍ଲାରେ ଅନେକ ହିଂସା ମାମଲା ରହିଛି ବୋଲି ମାଲକାନଗିରି ଏସପି କହିଛନ୍ତି । ତାଙ୍କୁ ଧରିବା ପରେ ପୁଲିସ ପକ୍ଷରୁ ଅଧିକ ପଚରାଉଚରା କରାଯାଇଛି। ଏଥିସହ ଏହି ଅଞ୍ଚଳରେ ମାଓବାଦୀ ଦମନ ନିମନ୍ତେ ପୁଲିସ ପକ୍ଷରୁ କୁମ୍ବିଂ ଜୋରଦାର କରାଯାଇଛି।
Powered by Froala Editor