ମହାରାଷ୍ଟ୍ରରେ ସିନ୍ଦେ ସରକାର

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଏକନାଥ ସିନ୍ଦେ । ରାଜଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟପାଳ ଭଗତ ସିଂହ କୋଶୟାରୀ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ସେ ଶିବସେନା ପ୍ରତିଷ୍ଠାତା ବାଲାସାହେବ ଠାକରେଙ୍କ ଗୋଡ଼ ତଳେ ବସିଥିବା ବେଳର ଫଟୋକୁ ନିଜ ପ୍ରୋଫାଇଲ ଛବି ଭାବେ ବ୍ୟବହାର କରିବା ଆରମ୍ଭ କରିଛନ୍ତି। ଶପଥ ପାଠ ପରେ ସିନ୍ଦେ ନିଜ ଟ୍ୱିଟର ପ୍ରୋଫାଇଲର ଫଟୋ ପରିବର୍ତ୍ତନ କରିଛନ୍ତି।
ସେହିପରି ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଫଡନବୀସ ପୂର୍ବରୁ ସରକାରରେ ସାମିଲ ହେବାକୁ ଅନିଚ୍ଛୁକ ଥିଲେ ବି ବିଜେପି କେନ୍ଦ୍ରୀୟ ନେତୃତ୍ବଙ୍କ ଅନୁରୋଧ ପରେ ସେ ସରକାରରେ ସାମିଲ ହୋଇଛନ୍ତି ।
ଏହା ପୂର୍ବରୁ ବିଜେପି ସଭାପତି ଜେପି ନଡ୍ଡା ଘୋଷଣା କରିଥିଲେ ଯେ ଦେବେନ୍ଦ୍ର ଫଡନବୀସ ମହାରାଷ୍ଟ୍ର ସରକାରରେ ସାମିଲ ହୁଅନ୍ତୁ ବୋଲି ବିଜେପିର କେନ୍ଦ୍ରୀୟ ନେତୃତ୍ବ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏଣୁ ତାଙ୍କୁ ବ୍ୟକ୍ତିଗତ ଭାବେ ଅନୁରୋଧ କରାଯାଉଛି କି ସେ ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ହୁଅନ୍ତୁ ।
ମହାରାଷ୍ଟ୍ରରେ ଆଜି ଠାରୁ ସିନ୍ଦେ ସରକାର ଆରମ୍ଭ ହୋଇଥିଲେ ହେଁ କୌଣସି ସଦସ୍ୟ ମନ୍ତ୍ରୀ ଭାବେ ଶପଥ ନେଇ ନାହାନ୍ତି। ପରବର୍ତ୍ତୀ ସମୟରେ ସିନ୍ଦେ ସରକାର ତାଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିବେ।
Powered by Froala Editor