ମହାରାଷ୍ଟ୍ର ସଙ୍କଟ: କାଲି ଫ୍ଲୋର ଟେଷ୍ଟ

ମୁମ୍ବାଇ: ମହାରାଷ୍ଟ୍ରରେ ଲାଗି ରହିଥିବା ସଙ୍କଟ ମଧ୍ୟରେ ଆସନ୍ତାକାଲି(ଗୁରୁବାର) ବହୁମତର ପ୍ରମାଣ ଦେବ ଉଦ୍ଧବ ଠାକରେଙ୍କ ନେତୃତ୍ବାଧୀନ ସରକାର । ଗୃହରେ ଫ୍ଲୋର ଟେଷ୍ଟ ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଛନ୍ତି ରାଜ୍ୟପାଳ ଭଗତ ସିଂ କୋଶିୟାରୀ । ଗତକାଲି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡନାଭିସ ରାଜ୍ୟପାଳଙ୍କୁ ଭେଟି ଫ୍ଲୋର ଟେଷ୍ଟ ପାଇଁ ଦାବି ଜଣାଇଥିଲେ । ଆଜି ଔପଚାରିକ ଭାବେ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କୁ ଚିଠି ଲେଖି ଆସନ୍ତାକାଲି ଗୃହରେ ସଂଖ୍ୟା ବହୁମତର ପ୍ରମାଣ ଦେବାକୁ କହିଛନ୍ତି ।
ଶିବସେନାର ୩୮ ବିଦ୍ରୋହୀ ବିଧାୟକ ମହାବିକାଶ ଅଘାଡି ମେଣ୍ଟରୁ ସମର୍ଥନ ପ୍ରତ୍ୟାହାର କରିସାରିଥିବା ବେଳେ ଉଦ୍ଧବ ଠାକରେଙ୍କ ନେତୃତ୍ବାଧୀନ ସରକାର ବର୍ତ୍ତମାନ ବହୁମତ ହରାଇ ସାରିଥିବା ଗତକାଲି ରାଜ୍ୟପାଳଙ୍କୁ ଅବଗତ କରିଥିଲା ବିରୋଧୀ ବିଜେପି । ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡନାଭିସଙ୍କ ନେତୃତ୍ବରେ ବରିଷ୍ଠ ବିଜେପି ନେତାଙ୍କ ଏକ ପ୍ରତିନିଧି ଟିମ ଗତକାଲି ରାଜ୍ୟପାଳ କୋଶିୟାରୀଙ୍କୁ ଭେଟି ଏପ୍ରକାର ଦାବି ଜଣାଇଥିଲେ ।
ତେବେ ଠାକରେ ସରକାର ଆସନ୍ତାକାଲି ଫ୍ଲୋର ଟେଷ୍ଟ ଦେବାକୁ ଯାଉଥିବା ବେଳେ ଆବଶ୍ୟକ ସଂଖ୍ୟା ପ୍ରମାଣିତ କରିବାରେ ମହାବିକାଶ ଅଗାଡି ମେଣ୍ଟ ବିଫଳ ହେବାର ସମ୍ଭାବନା ମଧ୍ୟ ପ୍ରାୟ ସ୍ପଷ୍ଟ । ଶିବସେନାର ୩୮ ବିଧାୟକ ଓ କିଛି ସ୍ବାଧୀନ ବିଧାୟକଙ୍କୁ ମିଶାଇ ଏକନାଥ ସିନ୍ଧେଙ୍କ ନିକଟରେ ୪୦ରୁ ଊର୍ଦ୍ଧ୍ବ ବିଧାୟକଙ୍କ ସମର୍ଥନ ରହିଛି ।ଉଦ୍ଧବଙ୍କ ଇସ୍ତଫା ପରେ ସିନ୍ଧେ ଗୋଷ୍ଠୀ ସହାୟତାରେ ବିରୋଧି ବିଜେପି କ୍ଷମତା ହାତେଇବା ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡନାଭିସ ହି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି । ଗଠନ ହେବାକୁ ଥିବା ନୂଆ ସରକାରର କିଙ୍ଗ ମେକର କୁହାଯାଉଥିବା ଏକନାଥ ସିନ୍ଧେ ଓ ତାଙ୍କ ସହଯୋଗୀ ବିଧାୟକଙ୍କୁ ମଧ୍ୟ ଏକାଧିକ ଗୁରୁତ୍ବପୂର୍ଣ୍ଣ ମନ୍ତ୍ରୀ ପଦ ମଧ୍ୟ ମିଳିପାରେ ।
Powered by Froala Editor