ଦେଶରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ, ୨୭ ମୃତ
ନୂଆଦିଲ୍ଲୀ: ଦେଶରେ ତଳ ଉପର ହେଉଛି କୋରୋନା । କିଛି ଦିନ ହେବ ସଂକ୍ରମଣ ୧୦ ହଜାର ଉପରେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମୋଟ୍ ୧୧,୭୯୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକି ସୋମବାର ତୁଳନାରେ କମ୍ ରହିଛି । ସେହିପରି ସଂକ୍ରମଣ କମିଥିଲେ ହେଁ ଆଜି ମୃତ୍ୟୁସଂଖ୍ୟା ଅଧିକ ରେକର୍ଡ ହୋଇଛି ।
ଦିନକରେ ଦେଶରେ ୨୭ ଜଣଙ୍କ ମୁଣ୍ଡ ନେଇଛି ମହାମାରୀ । ଏଯାବତ ଦେଶରେ ୫ ଲକ୍ଷ୨୫ ହଜାର ୦୪୭ ଆକ୍ରାନ୍ତ ଆଖି ବୁଜିଛନ୍ତି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ବର୍ତ୍ତମାନ ଭାରତରେ ସକ୍ରିୟ ମାମଲା ଲକ୍ଷେ ମୁହାଁ ହୋଇଛି । ଆଜିର ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୯୯,୭୦୦କୁ ବୃଦ୍ଧି ପାଇଛି ।ଦେଶର ଦୈନିକ ପଜିଟିଭ ରେଟ୍ ୨.୫୯%ରେ ପହଞ୍ଚିଛି । ଏଯାବତ୍ ୪ କୋଟି ୨୭ ଲକ୍ଷ ୯୭ ହଜାର ୦୯୨ ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି । ଦେଶବ୍ୟାପୀ ସମୁଦାୟ ୧୯୭ କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୦ ଲକ୍ଷରୁ ଅଧିକ ଲୋକେ ଟିକା ନେଇଛନ୍ତି ।
Powered by Froala Editor