ମୌସୁମୀ ସକ୍ରିୟ: ୨୫ ଯାଏ ପ୍ରବଳ ବର୍ଷା
ଭୁବନେଶ୍ବର: ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବାରେ ଲାଗିଛି। ଗତ ୨୪ଘଣ୍ଟାରେ ମୌସୁମୀ ସକ୍ରିୟ ହେବା ଯୋଗୁଁ ରାଜ୍ୟରେ ପାଖାପାଖି ୧୭.୩ ମିମି ବର୍ଷା ରେକର୍ଡ ହୋଇଛି। ମୌସୁମୀର ବଙ୍ଗୋପସାଗର ଶାଖା ସକ୍ରିୟ ଥିବା ଯୋଗୁ ରାଜ୍ୟର ବିଭିନ୍ନ ଜିଲାରେ ଆସନ୍ତା ୨୫ ତାରିଖ ପର୍ୟ୍ୟନ୍ତ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । କେତେକ ଅଞ୍ଚଳରେ ୭ରୁ ୧୧ ସେଣ୍ଟିମିଟର (ସେମି) ବର୍ଷା ହୋଇପାରେ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ପାଣିପାଗ ବିଭାଗର ପୂର୍ବାନୁମାନ ଦକ୍ଷିଣ ହରିୟାଣାରୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ସମଗ୍ର ଉତ୍ତରପ୍ରଦେଶ, ବିହାର ଏବଂ ପଶ୍ଚିମବଙ୍ଗ ମଧ୍ୟରେ ଏକ ନିମ୍ନଚାପ ରେଖା ଲମ୍ବିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ। କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ, ବରଗଡ, ନବରଙ୍ଗପୁର, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ଯାଜପୁର ଏବଂ ମୟୂରଭଞ୍ଜ ଜିଲାର ଗୋଟିଏରୁ ଦୁଇଟି ଅଞ୍ଚଳରେ ପ୍ରବଳ ବର୍ଷା ହେବାକୁ ଥିବାବେଳେ କିଛି ସ୍ଥାନରେ ବଜ୍ରପାତକୁ ଦୃଷ୍ଟିରେ ରଖି ଉପରୋକ୍ତ ଜିଲାଗୁଡିକୁ ବିଭାଗ ପକ୍ଷରୁ ହଳଦିଆ ସତର୍କ ସୂଚନା ଜାରି କରାଯାଇଛି।
Powered by Froala Editor