ବଢ଼ିପାରେ ତେଲ ଦର
ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷର ପ୍ରଭାବ ଏବେ ଭାରତର ଅର୍ଥନୀତି ଉପରେ ବିଶେଷ ଭାବରେ ପ୍ରଭାବ ପକାଉଛି। ଯୁଦ୍ଧ ପ୍ରଭାବରେ ସାରା ବିଶ୍ବରେ ପେଟ୍ରୋଲ ଏବଂ ଡିଜେଲ ଦର ମହଙ୍ଗା ହୋଇଛି । ଏହାରି ମଧ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ନିଜର ମତ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ଯୁଦ୍ଧ ଲମ୍ବା ସମୟ ଚାଲିବ ତେବେ ତେଲ ଦର ବଢ଼ାଇବାକୁ ପଡ଼ିବ। ଦରବୃଦ୍ଧି ପାଇଁ କେବଳ ସମୟକୁ ଅପେକ୍ଷା ବୋଲି ସେ କହିଛନ୍ତି।
ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ବିଶ୍ବର ଗୁରୁତ୍ବପୂର୍ଣ୍ଣ ସାମୁଦ୍ରିକ ପଥ ହର୍ମୁଜ ପ୍ରଣାଳୀରେ ଜାହାଜ ଚଳାଚଳ ସ୍ବାଭାବିକ ହୋଇପାରୁନାହିଁ। ତାହାର ପ୍ରଭାବରେ କିଛି ମାସ ହେଲାଣି ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୧୦୦ ଡଲାରରୁ ଅଧିକ ରହିଛି। ତେଲ କମ୍ପାନିଗୁଡ଼ିକୁ ଅଧିକ ଦାମ୍ ଦେଇ ତେଲ କିଣିବାକୁ ପଡ଼ୁଛି। ସେମାନଙ୍କ ଉପରେ ପଡ଼ିଥିବା ଆର୍ଥିକ ବୋଝକୁ ହାଲୁକା କରିବା ପାଇଁ କେନ୍ଦ୍ର ସରକାର କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ହ୍ରାସ କରିଥିଲେ। ଫଳରେ ସେମାନଙ୍କ ଉପରୁ ୩୦ ହଜାର କୋଟି ଟଙ୍କାର ଆର୍ଥିକ ଚାପ କମ୍ ହୋଇଛି। ଏହାସତ୍ତ୍ବେ ତେଲ କମ୍ପାନି ଗୁଡ଼ିକ ପ୍ରତିଦିନ ବିପୁଳ କ୍ଷତି ସହୁଛନ୍ତି ବୋଲି ଶ୍ରୀ ମାଲହୋତ୍ରା କହିଛନ୍ତି।
ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଜନସାଧାରଣଙ୍କୁ ଇନ୍ଧନ ସଂରକ୍ଷଣ ଏବଂ ଅଣ-ଅତ୍ୟାବଶ୍ୟକୀୟ ଖର୍ଚ୍ଚ ହ୍ରାସ କରିବାକୁ ନିବେଦନ କରିଛନ୍ତି।
Powered by Froala Editor