ଭାରତୀୟ ସେୟାର ବଜାରରେ ଉତ୍ସାହ, ସେନସେକ୍ସ ୧୬୦୦ ପଏଣ୍ଟ ଉପରକୁ ଉଠିଲା
ଆମେରିକାରେ ଟ୍ରମ୍ପଙ୍କୁ ନିର୍ବାଚନୀ ଝଟକା। ଏହାର ସିଧାସଳଖ ପ୍ରଭାବ ପଡ଼ିଛି ଭାରତୀୟ ସେୟାର ବଜାର ଉପରେ। ଗୁରୁବାର ଦଲାଲ ଷ୍ଟ୍ରିଟ୍ରେ ଏମିତି ଜୋରଦାର ଉତ୍ସାହ ଦେଖିବାକୁ ମିଳିଛି । ସେନସେକ୍ସ ପ୍ରାୟ ୧୬୦୦ ପଏଣ୍ଟ ଉପରକୁ ଉଠିଥିବାବେଳେ ନିଫ୍ଟି ମଧ୍ୟ ୨୪,୪୦୦ ପାଖାପାଖି ପହଞ୍ଚିଛି। ନିବେଶକଙ୍କ ସମ୍ପତ୍ତିରେ ପ୍ରାୟ ୬ ଲକ୍ଷ କୋଟି ଟଙ୍କା ଯୋଡ଼ି ହୋଇଛି।
ଆମେରିକାର ମିଡ୍ଟର୍ମ ନିର୍ବାଚନରେ ଡେମୋକ୍ରାଟିକ୍ ପାର୍ଟିର ସଫଳତା ପରେ ଟ୍ରମ୍ପଙ୍କ ଟାରିଫ୍ ନୀତିକୁ ନେଇ ବଢ଼ିଥିବା ଅନିଶ୍ଚିତତା କମିବାର ଆଶା ସୃଷ୍ଟି ହୋଇଛି। କଂଗ୍ରେସର ଉଭୟ ସଦନରେ ଡେମୋକ୍ରାଟଙ୍କ ପ୍ରଭାବ ବଢ଼ିବାରୁ ଟ୍ରମ୍ପଙ୍କ ବାଣିଜ୍ୟ ନୀତି ଉପରେ ଅଧିକ ପ୍ରତିରୋଧ ହେବାର ସମ୍ଭାବନା ରହିଛି।
ଗୁରୁବାର ବଜାରରେ ଜବରଦସ୍ତ କିଣାବିକା ଦେଖାଦେଇଥିଲା। ସକାଳ ୧୦ଟା ୦୪ ମିନିଟ୍ ସୁଦ୍ଧା ବିଏସ୍ଇ ସେନସେକ୍ସ ୧,୫୧୯ ପଏଣ୍ଟ ବା ୧.୯୭ ପ୍ରତିଶତ ବୃଦ୍ଧି ପାଇ ୭୮,୮୨୦.୪୦ ପଏଣ୍ଟରେ କାରବାର କରୁଥିଲା। ଏନ୍ଏସ୍ଇ ନିଫ୍ଟି ୪୩୬.୭୦ ପଏଣ୍ଟ ବା ୧.୮୨ ପ୍ରତିଶତ ବଢ଼ି ୨୪,୩୯୭.୩୦ ପଏଣ୍ଟରେ ପହଞ୍ଚିଥିଲା।
ଅଶୋଧିତ ତୈଳ ଦର ହ୍ରାସ ଭାରତୀୟ ବଜାର ପାଇଁ ବଡ଼ ଆଶ୍ୱସ୍ତି ଆଣିଛି। ବ୍ରେଣ୍ଟ କ୍ରୁଡ୍ ଅଏଲ୍ ବ୍ୟାରେଲ ପିଛା ୯୩.୫୯ ଡଲାରରେ କାରବାର କରୁଥିଲା। ଏଥିରେ ୧.୦୯ ପ୍ରତିଶତ ହ୍ରାସ ହୋଇଥିଲା। ଅନ୍ୟପଟେ ଆମେରିକୀୟ WTI ତୈଳ ଦର ୧.୫୩ ପ୍ରତିଶତ ଖସି ୮୬.୭୭ ଡଲାରରେ ପହଞ୍ଚିଥିଲା।
Powered by Froala Editor