ମେଟା ଇଣ୍ଡିଆ ବିରୋଧରେ ମାମଲା ରୁଜୁ
ସୋସିଆଲ ମିଡିଆ ସଂସ୍ଥା ମେଟା ଇଣ୍ଡିଆ ବିରୋଧରେ ଦିଲ୍ଲୀ ପୁଲିସ ମାମଲା ରୁଜୁ କରିଛି। ମେଟା ପରିଚାଳିତ ଫେସବୁକ୍ ଓ ଇନଷ୍ଟାଗ୍ରାମ୍ ଭଳି ପ୍ଲାଟଫର୍ମଗୁଡ଼ିକରେ ଶିଶୁ ଯୌନ ନିର୍ଯାତନା ଓ ଶୋଷଣପୂର୍ଣ୍ଣ ତଥ୍ୟ ଉପଲବ୍ଧ ଥିବା ଅଭିଯୋଗରେ ଜାତୀୟ ମାନବାଧିକାର କମିଶନ୍ (ଏନଏଚଆରସି) ର ସଦସ୍ୟ ପ୍ରିୟାଙ୍କ କାନୁନଗୋଙ୍କ ନିର୍ଦ୍ଦେଶକ୍ରମେ ଦିଲ୍ଲୀ ପୁଲିସ ଏହି ମାମଲା ରୁଜୁ କରିଛି।
୨୦୨୬ ଜାନୁଆରୀରୁ ଜୁନ୍ ମାସ ମଧ୍ୟରେ କେବଳ ଭାରତରେ ଫେସବୁକ୍ ଓ ଇନଷ୍ଟାଗ୍ରାମ୍ରୁ ପ୍ରାୟ ୫.୩ ମିଲିୟନ୍ ଶିଶୁ ଯୌନ ଶୋଷଣ ସମ୍ପର୍କିତ ତଥ୍ୟ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ଯେଉଁଥିରୁ ୯୮ ପ୍ରତିଶତରୁ ଅଧିକ ତଥ୍ୟ ବ୍ୟବହାରକାରୀ ଅଭିଯୋଗ କରିବା ପୂର୍ବରୁ ସ୍ୱୟଂଚାଳିତ ଭାବେ ଚିହ୍ନଟ କରାଯାଇଥିଲା।
ଏହି ସଂବେଦନଶୀଳ ଘଟଣା ସାମ୍ନାକୁ ଆସିବା ପୂର୍ବରୁ ଗତ ମାସରେ ମେଟା ପକ୍ଷରୁ କୁହାଯାଇଥିଲା ଯେ, ସେମାନେ ଏପରି ଆପତ୍ତିଜନକ ତଥ୍ୟ ଚିହ୍ନଟ ଓ ହଟାଇବା ପାଇଁ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଆଧାରିତ ବ୍ୟବସ୍ଥାକୁ ଅଧିକ ସକ୍ରିୟ କରିଛନ୍ତି। ବିଶ୍ୱରେ ଏହି ସମୟ ମଧ୍ୟରେ ୩୩.୨ ମିଲିୟନ୍ ଏଭଳି ତଥ୍ୟ ହଟାଯାଇଛି। ଅପରାଧୀମାନେ ନିଜର ବେଆଇନ କାର୍ଯ୍ୟକଳାପ ଲୁଚାଇବା ପାଇଁ ବିଜ୍ଞାପନକୁ ମାଧ୍ୟମ କରି ବାହାର ୱେବସାଇଟଗୁଡ଼ିକୁ ବ୍ୟବହାରକାରୀଙ୍କୁ ପଠାଉଥିବା ନେଇ ମେଟା ଦର୍ଶାଇଛି।
Powered by Froala Editor