ମୁଁ ନିଶ୍ଚିତ ଯେ ଦ୍ରୌପଦୀ ଆମ ଦେଶର ଜଣେ ଭଲ ରାଷ୍ଟ୍ରପତି ହେବେ:ମୋଦି
ନୂଆଦିଲ୍ଲୀ: ଆସନ୍ତା ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଦିବାସୀ ଓ ମହିଳା କାର୍ଡ ଖେଳିଛି ବିଜେପି। ଏନଡିଏ ମେଣ୍ଟ ପକ୍ଷରୁ ଓଡ଼ିଶାର ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଚୟନ କରାଯାଇଛି। ତାଙ୍କର ସିଧାସଳଖ ଲଢ଼େଇ ବିରୋଧୀ ମେଣ୍ଟର ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କ ସହ ହେବ। ଆସନ୍ତା ୨୫ ତାରିଖରେ ଶ୍ରୀମତୀ ମୁର୍ମୁ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ଜଣାପଡ଼ିଛି।
ଶ୍ରୀ ମୁର୍ମୁଙ୍କୁ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି କହିଛନ୍ତି ଯେ “ଲାକ୍ଷାଧିକ ଲୋକ, ବିଶେଷ କରି ଯେଉଁମାନେ ଗରିବୀ ଓ କଠିନ ସମୟର ସମ୍ମୁଖୀନ ହେଉଛନ୍ତି, ସେମାନେ ନିଶ୍ଚିତ ଭାବେ ଦୌପଦୀ ମୁର୍ମୁଙ୍କ ଜୀବନରୁ ଅନେକ କିଛି ଶିଖି ପାରିବେ। ବିଭିନ୍ନ ନୀତିକୁ ବୁଝିବାର କ୍ଷମତା ଓ କରୁଣାମୟ ସ୍ୱାଭାବ ଦେଶକୁ ଅନେକ ଫାଇଦା ଦେବ। ଶ୍ରୀମତୀ ମୁର୍ମୁ ସମାଜ ପାଇଁ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଛନ୍ତି। ସେ ଗରିବଙ୍କ ସଶକ୍ତୀକରଣ, ପଛୁଆବର୍ଗ ତଥା ଅନୁନ୍ନତଙ୍କ ଲୋକଙ୍କ ପାଇଁ କାମ କରିଛନ୍ତି। ତାଙ୍କ ପାଖରେ ପ୍ରଶାସନିକ କାର୍ୟ୍ୟର ଯଥେଷ୍ଟ ଅଭିଜ୍ଞତା ରହିଛି। ମୁଁ ନିଶ୍ଚିତ ଯେ ଦ୍ରୌପଦୀ ଆମ ଦେଶର ଜଣେ ଭଲ ରାଷ୍ଟ୍ରପତି ହେବେ।”
ବିଜେପି ନେତୃତ୍ୱାଧୀନ ଏନଡିଏ ପାଖରେ ପ୍ରାୟତଃ ନିର୍ବାଚନ ଜିତିବାକୁ ସଂଖ୍ୟା ଥିବାରୁ ୬୪ ବର୍ଷୀୟ ଶ୍ରୀମତୀ ମୁର୍ମୁ ହିଁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବା ଏକ ପ୍ରକାରର ନିଶ୍ଚିତ ହୋଇଛି। ଯଦି ମୁର୍ମୁ ଜିତନ୍ତି, ତା’ହେଲେ ସେ ପ୍ରଥମ ଓଡ଼ିଆ ଭାବେ ରାଷ୍ଟ୍ରପତି ହେବେ। ସେହିପରି ଦେଶର ଦ୍ୱିତୀୟ ମହିଳା ରାଷ୍ଟ୍ରପତି ହେବାର କୀର୍ତ୍ତିମାନ ସୃଷ୍ଟି କରିବେ। ମୁର୍ମୁଙ୍କ ପୂର୍ବରୁ ପ୍ରତିଭା ପାଟିଲ ଦେଶର ପ୍ରଥମ ରାଷ୍ଟ୍ରପତି ହୋଇଥିଲେ।
ଶ୍ରୀମତି ମୁର୍ମୁ ବିଜେପି ନେତୃତ୍ୱାଧୀନ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ହେବା ପୂର୍ବରୁ ପ୍ରଥମ ମହିଳା ଭାବେ ଝାରଖଣ୍ଡର ରାଜ୍ୟପାଳ ହୋଇଥିଲେ। ୨୦୧୫ରୁ ୨୦୨୧ ଯାଏ ସେ ରାଜ୍ୟପାଳ ଭାବେ କାମ କରିଥିଲେ।
ବିଜେଡି-ବିଜେପି ମେଣ୍ଟ ସରକାର ବେଳେ ସେ ଓଡ଼ିଶାରେ ମନ୍ତ୍ରୀ ଭାବେ ମଧ୍ୟ କାର୍ୟ୍ୟ କରିଥିଲେ। ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରୁ ଦ୍ରୌପଦୀ ମୁର୍ମୁ ଦୁଇ ଥର(୨୦୦୦ ଓ ୨୦୦୪) ବିଧାନସଭାକୁ ନିର୍ବାଚିତ ହୋଇଥିଲେ।
Powered by Froala Editor