ଆସନ୍ତାକାଲି ପବିତ୍ର ଦେବସ୍ମାନ ପୂର୍ଣ୍ଣିମା
ପୁରୀ: ଆସନ୍ତାକାଲି ପବିତ୍ର ଦେବସ୍ମାନ ପୂର୍ଣ୍ଣିମା । ଏନେଇ ନୀତି ନିର୍ଘଣ୍ଟ ହୋଇଛି । ଦୁଇବର୍ଷ ପରେ ଭକ୍ତଙ୍କ ଗହଣରେ ହେବ ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ୩ ଘଣ୍ଟା ପାଇଁ ସ୍ନାନ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି । ତେବେ କୌଣସି ଭକ୍ତ ଶ୍ରୀବିଗ୍ରହଙ୍କୁ ସ୍ପର୍ଶ କରିପାରିବେ ନାହିଁ ।
ଦେବସ୍ନାନ ପୂର୍ଣ୍ଣିମା ପାଇଁ ଶ୍ରୀମନ୍ଦିର ପ୍ରଶାସନ, ସେବାୟତ, ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସ୍ନାନ ପୂର୍ଣ୍ଣିମା ଦିନ ମଙ୍ଗଳାର୍ପଣ, ଡୋରଲାଗି ଓ ପୁଷ୍ପାଞ୍ଜଳି ପରେ ପହଣ୍ଡି ଆରମ୍ଭ ହେବ । ଏଥର ଭକ୍ତଙ୍କ ଗହଣରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେବାକୁ ଯାଉଥିବାରୁ ଦ୍ବିଗୁଣା ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି । ଆସନ୍ତାକାଲି (ମଙ୍ଗଳବାର) ଭୋର ୪ଟାରେ ପହଣ୍ଡି ଆରମ୍ଭ ହୋଇ ୬ଟାରେ ଶେଷ ହେବ । ସକାଳ ୯.୩୦ ରୁ ୧୧.୩୦ ମଧ୍ୟରେ ଜଳ ବିଜେ ଓ ପୂଜା ହୋଇ ୧୨.୧୫ରେ ଛେରା ପହଁରା ଓ ୧୨.୩୦ରୁ ୨.୩୦ ମଧ୍ୟରେ ହାତୀବେଶ ଶେଷ କରାଯିବ । ସକାଳେ ପରିମାଣିକ ଟିକେଟ ମାଧ୍ୟମରେ ଦର୍ଶନ ବ୍ୟବସ୍ଥା କରାଯିବ । ଭକ୍ତମାନେ ବଡ଼ଦାଣ୍ଡରୁ ଜଳଲାଗି ଓ ହାତୀବେଶ ପରେ ତିନି ଘଣ୍ଟା ସ୍ନାନ ମଣ୍ଡପ ଉପରେ ମହାପ୍ରଭୁଙ୍କ ଅପୂର୍ବ ବେଶ ଦେଖିବାର ସୁଯୋଗ ପାଇବେ ।
Powered by Froala Editor