ମୌସୁମୀ ପାଇଁ ପାଗ ଏବେ ଅନୁକୂଳ
ଭୁବନେଶ୍ବର : ମୌସୁମୀ ପାଇଁ ପାଗ ଏବେ ଅନୁକୂଳ ରହିଛି। ଆଗମନରେ ସୃଷ୍ଟି ହୋଇଥିବା ବାଧା ଦୂର ହୋଇଛି। ଫଳରେ ଆସନ୍ତା ଦୁଇଦିନ ମଧ୍ୟରେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ମହାରାଷ୍ଟ୍ରରେ ପ୍ରାକ୍ ମୌସୁମୀ ବର୍ଷା ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି)। କର୍ଣ୍ଣାଟକ ଓ କେରଳରେ ମୌସୁମୀ ବର୍ଷା ଧିମା ରହିଥିବାବେଳେ ଏବେ ପୁଣି ଆରମ୍ଭ ହୋଇଯାଇଛି । ମୌସୁମୀର ଏଭଳି ଅନୁକୂଳ ସ୍ଥିତି ଓଡ଼ିଶା ଆଗମନର ଶୁଭ ସଙ୍କେତ ବୋଲି ଆଶା କରାଯାଉଛି।
ଅନ୍ୟପକ୍ଷରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା ଏବଂ କଳାହାଣ୍ଡି ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହୋଇପାରେ। ଅନ୍ୟପଟେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ଗଜପତି ଏବଂ ମୟୂରଭଞ୍ଜ ଜିଲାର ଗୋଟିଏରୁ ଦୁଇଟି ଅଞ୍ଚଳରେ ବଜ୍ରପାତକୁ ଦୃଷ୍ଟିରେ ରଖି ଉପରୋକ୍ତ ଜିଲାଗୁଡ଼ିକୁ ପାଣିପାଗ ବିଭାଗ ପକ୍ଷରୁ ହଳଦିଆ ସତର୍କ ସୂଚନା ଜାରି କରାଯାଇଛି। ସତର୍କ ରହିବାକୁ ସ୍ବତନ୍ତ୍ର ରିଲିଫ ଆୟୁକ୍ତ (ଏସ୍ଆସି) ପ୍ରଦୀପ କୁମାର ଜେନା ଜିଲାପାଳଙ୍କୁ ପରାମର୍ଶ ଦେଇଛନ୍ତି।
ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ କହୁଛି, ଆସନ୍ତା ୩ରୁ ୪ଦିନ ପର୍ୟ୍ୟନ୍ତ ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ।
Powered by Froala Editor