ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଗିରଫ

ବେଆଇନ ଆର୍ଥିକ କାରବାର ମାମଲାରେ ଆମ ଆଦମୀ ପାର୍ଟି (ଆପ) ସରକାରଙ୍କ ପୂର୍ବତନ ଦିଲ୍ଲୀ ସ୍ୱାସ୍ଥ୍ରମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର ଗିରଫ କରିଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ନେତୃତ୍ୱରେ ଦିଲ୍ଲୀର ଆପ ସରକାରରେ ସତ୍ୟେନ୍ଦ୍ର ଜୈନ ବରିଷ୍ଠ ମନ୍ତ୍ରୀ। ତାଙ୍କ ହାତରେ ଦିଲ୍ଲୀ ସରକାରଙ୍କ ଅନେକ ବିଭାଗ ରହିଛି।
ମିଳିଥିବା ସୂଚନା ଅନୁଯାୟୀ, ୨୦୧୫-୨୬ରେ ଜୈନ ଜଣେ ସରକାରୀ ଅଧିକାରୀ ଭାବେ କାମ କରୁଥିଲେ। ଏହି ସମୟରେ ତାଙ୍କ ମାଲିକାନାରେ ଥିବା ଗୋଟିଏ କମ୍ପାନୀ ହାୱାଲା ନେଟୱର୍କ ଜରିଆରେ ପ୍ରାୟ ୪.୮୧ କୋଟି ଟଙ୍କା ଗ୍ରହଣ କରିଥିଲା। ଶେଲ କମ୍ପାନୀଗୁଡ଼ିକ ଦ୍ୱାରା ଏପରି କାରବାର ହୋଇଥିବା ଇଡି ତଦନ୍ତରୁ ଜାଣିବାକୁ ପାଇଛି। ଇଡି ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ମୋଟ ୪.୮୧ କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା। ଗତ ଏପ୍ରିଲ ମାସରେ ଜୈନ ଓ ତାଙ୍କ ପରିବାର ବର୍ଗଙ୍କ ମାଲିକାରେ ଥିବା କମ୍ପାନୀଗୁଡ଼ିକ ନାଁରେ ଏତେ ପରିମାଣର ସମ୍ପତ୍ତି ରହିଥିଲା। ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍ଟ(ପିଏମଏଲଏ)୨୦୨୨ ବଳରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।
ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ଶିଷୋଦିଆ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ହିମାଚଳ ପ୍ରଦେଶରେ ଜୈନଙ୍କ ନିର୍ବାଚନ ପ୍ରଚାରରେ ତାଙ୍କୁ ରୋକିବା ଲାଗି ଏପରି କାର୍ଯ୍ୟାନୁଷ୍ଠାନ କରାଯାଇଛି। ଏହା ରାଜନୈତିକ ଉଦ୍ଦେଶ୍ୟ ପ୍ରେରିତ ଓ ୮ ବର୍ଷ ପୂର୍ବର ଏକ ମାମଲାରେ ଇଡି ଯେଉଁ କାର୍ଯ୍ୟାନୁଷ୍ଠାନ କରିଛନ୍ତି ତାର କୌଣସି ସତ୍ୟତା ନାହିଁ ଓ ଏହା ସମ୍ପୂର୍ଣ୍ଣ ଜାଲିଆତି ବୋଲି କହିଛନ୍ତି।
Powered by Froala Editor