ପଟିଆଲା କୋର୍ଟରେ ନବଜୋତ ସିଂହ ସିଦ୍ଧୁଙ୍କ ଆତ୍ମସମର୍ପଣ

‘ରୋଡ୍ ରେଜ୍’ ମାମଲାରେ ସୁପ୍ରିମ୍ କୋର୍ଟ ନବଜୋତ ସିଂହଙ୍କୁ ଏକ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବାର ଗୋଟିଏ ଦିନ ପରେ ସେ ଶୁକ୍ରବାର ଏକ ଅଦାଲତରେ ଆତ୍ମସମର୍ପଣ କରିଛନ୍ତି। ସୁପ୍ରିମକୋର୍ଟରେ ସିଦ୍ଧୁଙ୍କ ପାଇଁ ଆବେଦନ କରିଥିବା ଆଇନଜୀବୀ ଅଭିଷେକ ମନୁସିଙ୍ଘଭୀ ଆଜି ଜଷ୍ଟିସ ଏଏମ ଖାନୱିଲକରଙ୍କ ନିକଟରେ ଅଧିକ ସମୟ ଲୋଢ଼ିଥିଲେ। ତେବେ ସେ ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନାଙ୍କ ଖଣ୍ଡପୀଠରେ ଏନେଇ ଆବେଦନ କରିବାକୁ ସିଙ୍ଘଭୀଙ୍କୁ ପରାମର୍ଶ ଦେଇଥିଲେ । ଫଳରେ ତାଙ୍କର ଆବେଦନ ଏକ ପ୍ରକାର ଖାରଜ ହୋଇଯାଥିଲା।
୧୯୮୮ ମସିହାରେ ଗାଡ଼ି ପାର୍କିଂକୁ ନେଇ ସିଦ୍ଧୁ ଓ ଗୁରନାମ ସିଂହଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ସିଦ୍ଧୁ ତାଙ୍କୁ ମାଡ଼ ମାରିଥିଲେ। ପରବର୍ତ୍ତୀ ଅବସ୍ଥାରେ ଗୁରନାମ ସିଂହଙ୍କ ମୃତ୍ୟୁ ଘଟିଥିଲା। ଏହି ମାମଲାରେ ସୁପ୍ରିମ୍ କୋର୍ଟର ବିଚାରପତି ଜଷ୍ଟିସ ଏ ଏମ ଖାନୱିଲକରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଗୁରୁବାର ଦିନ ସିଦ୍ଧୁଙ୍କ ଉପରେ ଏକ ବର୍ଷର ସଶ୍ରମ କାରାଦଣ୍ଡ ଲାଗୁ କରି କହିଥିଲେ ଯେ ଏକ୍ଷେତ୍ରରେ ପର୍ଯ୍ୟାପ୍ତ ଦଣ୍ଡ ଲାଗୁ କରିବା ପାଇଁ କୌଣସି ଅଯଥା ସହାନୁଭୂତି ନ୍ୟାୟ ବ୍ୟବସ୍ଥାକୁ ଅଧିକ କ୍ଷତି ପହଞ୍ଚାଇବ ଏବଂ ଆଇନର କାର୍ଯ୍ୟକାରିତା ଉପରେ ଜନସାଧାରଣଙ୍କ ବିଶ୍ୱାସକୁ କ୍ଷୁଣ୍ଣ କରିବ।
Powered by Froala Editor