ଲୁଣ କାରଖାନାର କାନ୍ଥ ଭୂଷୁଡିଲା : ୧୨ଜଣଙ୍କ ମୃତ୍ୟୁ

ଗୁଜରାଟ ମୋରବୀରେ ଥିବା ହଲବଦ ଜିଆଇଡିସିରେ ଏକ ଲୁଣ କାରଖାନାର କାନ୍ଥ ଭୂଷୁଡି ପଡିଛି। ଫଳରେ ୧୨ ଜଣ ଶ୍ରମିକଙ୍କ ଜୀବନ ଚାଲିଯାଇଛି । ଏହା ସହ ୨୦ ଜଣ ଗୁରୁତର ଆହତ ହୋଇଥିବା ବେଳେ ତିନି ଜଣ ଭଙ୍ଗା କାନ୍ଥ ତଳେ ଚାପି ହୋଇପଡ଼ିଥିବା କୁହାଯାଉଛି। ସ୍ଥାନୀୟ ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ପରିଚାଳନା କରିବା ସହ ମୃତାହତଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଛନ୍ତି। ଗୁରୁତରଙ୍କ ମଧ୍ୟରେ ଅନେକ ଶ୍ରମିକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତେଣୁ ମୃତ୍ୟୁ ସଂଖ୍ୟା ଆହୁରି ଆଗକୁ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।
ଭୁଷୁଡି ପଡିଥିବା କାନ୍ଥ ହଟାଇବାକୁ ଜେସିବି ଡକାଯାଇଛି। ଜେସିବି ମାଧ୍ୟମରେ କାନ୍ଥର ଭଗ୍ନାବଶେଷ ତୁରନ୍ତ ହଟାଯିବା ସହ ଦବି ରହିଥିବା ଲୋକଙ୍କ ଉଦ୍ଧାର ସହଜ ହେବ ବୋଲି କୁହାଯାଉଛି। ଦୁର୍ଘଟଣା ସୂଚନା ପାଇ ମୋରବୀ ଜିଲ୍ଲାପାଳ ଘଟଣାସ୍ଥଳକୁ ପହଞ୍ଚିଛନ୍ତି। ସାଗର ସଲ୍ଟରେ ଏହି ଦୁର୍ଘଟଣା ଘଟିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। କାରଖାନାରେ ଶ୍ରମିକ ଲୁଣକୁ ବସ୍ତାରେ ଭରୁଥିବା ବେଳେ ଅଚାନକ କାନ୍ଥ ଧସିପଡିଥିଲା। ଦୁର୍ଘଟଣାରେ ସମସ୍ତ ମୃତକ ଲୁଣ କାରଖାନାରେ କାର୍ଯ୍ୟରତ ଶ୍ରମିକ ବୋଲି ଜିଲ୍ଲାପାଳ କହିଛନ୍ତି।
ଏହି ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରମିକଙ୍କ ମୃତ୍ୟୁକୁ ନେଇ ସମବେଦନା ଜଣାଇବା ଆହତଙ୍କ ପରିବାରକୁ ୨ଲକ୍ଷ ଏବଂ ମୃତକଙ୍କ ପରିବାକୁ ୪ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି।
Powered by Froala Editor