ସୁପ୍ରିମକୋର୍ଟକୁ ଗଲା ମାରିଟାଲ ରେପ୍ ମାମଲା

ନୂଆଦିଲ୍ଲୀ : ବୈବାହିକ ବଳାତ୍କାର (ମାରିଟାଲ ରେପ୍)କୁ ଅପରାଧଭାବେ ବିବେଚନା କରାଯିବା ପ୍ରସଙ୍ଗରେ ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ଦ୍ୱିଖଣ୍ଡିତ ରାୟ ଦେବାପରେ ବର୍ତ୍ତମାନ ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ଖୁସ୍ବୁ ସୈଫି ନାମ୍ନୀ ଜଣେ ମହିଳା ଏ ପ୍ରସଙ୍ଗରେ ମଙ୍ଗଳବାର ସୁପ୍ରିମକୋର୍ଟରେ ଏକ ପିଟିସନ ଦାଏର କରିଛନ୍ତି । ସୂଚନାଯୋଗ୍ୟ ଏହି ମାମଲା ପ୍ରଥମେ ଦିଲ୍ଲୀ ହାଇକୋର୍ଟରେ ଆଗତ କରାଯାଇଥିଲା । ଯଦି କୌଣସି ସ୍ୱାମୀ ପତ୍ନୀଙ୍କ ବିନା ଅନୁମତିରେ ତାଙ୍କ ସହ ବଳପୂର୍ବକ ଯୌନ ସମ୍ପର୍କ ସ୍ଥାପନ କରନ୍ତି, ତେବେ ଏହି କ୍ଷେତ୍ରରେ ସଂପୃକ୍ତ ସ୍ୱାମୀଙ୍କ କାର୍ୟ୍ୟକୁ ଅପରାଧଭାବେ ବିବେଚନା କରାଯାଇ ମାମଲା ରୁଜୁ କରାଯିବ କି ନାହିଁ, ସେଥିନେଇ ବିତର୍କର ସୂତ୍ରପାତ ହୋଇଛି । ଚଳିତମାସ ୧୧ରେ ଏ ପ୍ରସଙ୍ଗରେ ଆଗତ ଏକାଧିକ ମାମଲାର ଶୁଣାଣି ଦିଲ୍ଲୀ ହାଇକୋର୍ଟରେ ଅନୁଷ୍ଠିତ ହୋଇଯାଇଛି । ତେବେ ହାଇକୋର୍ଟ ଖଣ୍ଡପୀଠର ଦୁଇ ବିଚାରପତି ଜଷ୍ଟିସ ରାଜୀବ ସାକ୍ଧେର ଓ ଜଷ୍ଟିସ ହରି ଶଙ୍କର ଏହି ପ୍ରସଙ୍ଗରେ ସଂପୃକ୍ତ ସ୍ୱାମୀଙ୍କୁ ଅଭିଯୁକ୍ତ କରାଯିବାକୁ ନେଇ ଭିନ୍ନମତ ପୋଷଣ କରିବାରୁ ରାୟ ଅସ୍ପଷ୍ଟ ରହିଥିଲା ।
Powered by Froala Editor