ସିଆରପି ଛକରେ ଗୁଳିକାଣ୍ଡ
ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ସିଆରପି ଛକରେ ଗତକାଲି ସନ୍ଧ୍ୟାରେ ଗୁଳିକାଣ୍ଡ ଘଟିଛି। ଏଥରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଛାତ୍ର କଂଗ୍ରେସ ନେତା ବିଭୂ ପ୍ରସାଦ ଜେନା। ବିଭୂଙ୍କ ଅଭିଯୋଗ ଅନୁସାରେ, ଗତକାଲି ସନ୍ଧ୍ୟା ସମୟରେ ସିଆରପି ଛକରେ ବିଭୂ ଓ ତାଙ୍କର ଜଣେ ବନ୍ଧୁ ଠିଆ ହୋଇଥିଲେ। ଏହି ସମୟରେ ୨ ଜଣ ଦୁର୍ବୃତ୍ତ ସେଠାରେ ପହଞ୍ଚିଥିଲେ। ଆଉ ରାଜନୈତିକ ଆକ୍ରୋଶ ରଖି ବିଭୂଙ୍କୁ ପ୍ରଥମେ ଗାଳି ଗୁଲଜ କରିଥିଲେ। ଏପରିକି ଛାତିରେ ବନ୍ଧୁକ ଲଗାଇ ଧମକ ଦେଇଥିଲେ। ବିଭୂ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରିବା ବେଳେ ବନ୍ଧୁକରୁ ୨ଟି ଗୁଳି ଫୁଟି ତଳେ ବାଜିଥିଲା।
ଏହାପରେ ଘଟଣାସ୍ଥଳରୁ ୨ ଦୁର୍ବୃତ୍ତ ଚମ୍ପଟ ମାରିଥିଲେ। ସେମାନେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛନ୍ତି। ଏନେଇ ବିଭୂ ସିଆରପି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଘଟଣା ପଛରେ କେବିଏନ୍ ଗ୍ରୁପ୍ ଥିବା ଆଶଙ୍କା କରାଯାଉଛି।
ଭୁବନେଶ୍ୱର ଡିସିପି ପ୍ରତୀପ ସିଂହ କହିଛନ୍ତି, ତିନିଜଣଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା। ପରେ ଜଣେ ଦୁର୍ବୃତ୍ତ ୨ ରାଉଣ୍ଡ ଫାଙ୍କା ଗୁଳିଚଳାନା କରିଥିଲା। ଘଟଣାର ତଦନ୍ତ କରାଯାଉଛି। ତଦନ୍ତ କରାଯାଇ ଦୋଷୀ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯିବ।
Powered by Froala Editor