ମୂର୍ତ୍ତି ନେଇଗଲେ ଚୋର, ହେଲେ ଭୟଙ୍କର ସ୍ୱପ୍ନରେ ଶୋଇ ପାରିଲେନି

ପୁରୁଣା ମୂର୍ତ୍ତି ବହୁ ମୂଲ୍ୟବାନ । ତେଣୁ ଚୋରି କରି ବିକ୍ରି କରିଦେଲେ ମାଲାମାଲ ହୋଇଯିବେ । ଏହା ଭାବି ଏକ ଚୋର ଦଳ ମନ୍ଦିରରୁ ପୁରୁଣା ମୂର୍ତ୍ତି ସବୁ ଚୋରି କରି ନେଇଥିଲେ । ହେଲେ ଭୟଙ୍କର ସ୍ୱପ୍ନ ସେମାନଙ୍କୁ ଶୋଇବାକୁ ଦେଲାନି । ବାଧ୍ୟ ହୋଇ ସେମାନେ ପୁଣି ମନ୍ଦିର ଆଗରେ ସବୁ ଚୋରି ମୂର୍ତ୍ତି ଥୋଇ ଦେଇଛନ୍ତି । ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ଚିତ୍ରକୁଟ ଜିଲ୍ଲା ତରାହ୍ନା ସ୍ଥିତ ଐତିହାସିକ ବାଲାଜୀ ମନ୍ଦିରରେ ।
ଗତ ୯ ତାରିଖରେ ବାଲାଜୀ ମନ୍ଦିରରେ ଅଷ୍ଟଧାତୁରେ ନିର୍ମିତ ୧୬ଟି ମୂର୍ତ୍ତି ଚୋରି କରିନେଇଥିଲେ ଚୋର । ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ । ଏନେଇ ମନ୍ଦିର ମହନ୍ତ ରାମବାଲକ ଥାନାରେ ଏତଲା ଦେଇଥିଲେ । ମହନ୍ତ କହିଥିଲେ, ‘ମନ୍ଦିର ତାଲା ଭାଙ୍ଗି ୫ କେଜି ଓଜନର ଅଷ୍ଟଧାତୁର ଶ୍ରୀରାମଙ୍କ ମୂର୍ତ୍ତି, ପିତଳର ରାଧାକୃଷ୍ଣ, ବାଲାଜୀ ଓ ଲଡୁ ଗୋପାଳଙ୍କ ମୂର୍ତ୍ତି ସହ ନଗଦ ଯଙ୍କା ଓ ରୂପା ସାମଗ୍ରୀ ଚୋରି କରିନେଇଥିଲେ ।
ତେବେ ସୋମବାର ରାତିରେ ସେମାନେ ଚୋରି ହୋଇଥିବା ୧୬ଟି ମୂର୍ତ୍ତିକୁ ମନ୍ଦିରର ମୁଖ୍ୟ ପୂଜକଙ୍କ ଘର ପାଖରେ ରଖି ଚାଲି ଯାଇଛନ୍ତି। ଗୋଟିଏ ଟୋକେଇରୁ ମୂର୍ତ୍ତିଗୁଡ଼ିକୁ ଠାକ କରାଯାଇଛି। ଏଥିସହ ଚୋରମାନେ ଗୋଟିଏ ଚିଠିରେ ମୂର୍ତ୍ତି କାହିଁକି ଫେରାଇ ଦେଇଛନ୍ତି, ସେକଥା ମଧ୍ୟ ଉଲ୍ଲେଖ କରିଛନ୍ତି।
ସେମାନେ ଚିଠିରେ କହିଛନ୍ତି ଯେ, ମୂର୍ତ୍ତି ଚୋରି କରିବା ଦିନ ଠାରୁ ସେମାନେ ଶାନ୍ତିରେ ଶୋଇବା, ଖାଇବା କିମ୍ବା ରହି ପାରୁ ନଥିଲେ। ସବୁବେଳେ ସେମାନଙ୍କୁ ଭୟଙ୍କର ସ୍ୱପ୍ନ ଆସୁଥିଲା। ଭୟଙ୍କର ସ୍ୱପ୍ନ ଯୋଗୁ ସେମାନେ ଭୟଭୀତ ହୋଇ ପଡ଼ିଥିଲେ। ଏଥିପାଇଁ ସେମାନେ ଚୋରି କରିଥିବା ମୂର୍ତ୍ତିଗୁଡ଼ିକୁ ଫେରାଇ ଦେଇଥିବା ଚିଠିରେ କହିଛନ୍ତି। ଏଥିସହ ସେମାନେ ନିଜର ଭୁଲ ପାଇଁ କ୍ଷମା ମଧ୍ୟ ମାଗିଛନ୍ତି।
Powered by Froala Editor